କାବୁଲ ଛାଡ଼ିବା ପୂର୍ବରୁ ସବୁ ବିମାନ ଏବଂ ଗାଡ଼ିକୁ ଅଚଳ କଲା ଆମେରିକା

1 min read

କାବୁଲ: ଆମେରିକା ସେନା କାବୁଲ ବିମାନ ବନ୍ଦର ଛାଡ଼ିବା ପୂର୍ବରୁ ସବୁ ବିମାନ,ହେଲିକପ୍ଟର ଓ ସାଂଜୁଆ ଗାଡ଼ିକୁ ଅଚଳ କରିଦେଇଛି। ବଗ୍ରାମ ବିମାନ ଘାଟି ଛାଡ଼ିବା ପୂର୍ବରୁ ଆମେରିକା ଯେଉଁ ଭୁଲ କରିଥିଲା ତାକୁ ନଦୋହରାଇବାକୁ ଏହା କରାଯାଇଛି। ଆମେରିକା ସେନା ଅନୁସାରେ କାବୁଲ ବିମାନ ବନ୍ଦର ଛାଡ଼ିବା ପୂର୍ବରୁ ସୈନିକ ଅନ୍ତିମ ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ ସତର୍କତାର ସହିତ ପୁରା କରିଥିଲେ। ବିମାନ ବନ୍ଦରରେ ଥିବା ସମସ୍ତ ହାଇଟେକ୍ ଅସ୍ତ୍ର,ବିମାନ,ହେଲିକପ୍ଟର ଓ ହମଭି ଗାଡ଼ିକୁ ଅଚଳ କରି ଦିଆଯାଇଥିଲା। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ବିମାନ ବନ୍ଦରରେ ପଡ଼ି ରହିଥିବା ଗାଡ଼ି,ମେସିନ ଓ ବିମାନକୁ କେହି ମଧ୍ୟ ଆଉ ବ୍ୟବହାର କରି ପାରିବେ ନାହିଁ।

ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନରାଲ କେନେଥ ମୈକେଞ୍ଜିଙ୍କ ଅନୁସାରେ ହମିଦ କର୍ଜାଇ ବିମାନ ବନ୍ଦରରେ ଥିବା ୭୩ ବିମାନକୁ ସେନା ବେକାର କରି ଦେଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ଏହା କରାଯାଇଛି। ସେହି ସବୁ ବିମାନ ଆଉ କେବେ ମଧ୍ୟ ଉଡ଼ିପାରିବେ ନାହିଁ। କେହି ମଧ୍ୟ ତାକୁ ଚଳାଇ ପାରିବେ ନାହିଁ।

ମୈକେଞ୍ଜିଙ୍କ ଅନୁସାରେ ପେଣ୍ଟାଗନ କାବୁଲରେ ୭୦ ସାଂଜୁଆ ଗାଡ଼ି ଛାଡ଼ି ଆସିଛି। ପ୍ରତି ଗାଡିର ମୁଲ୍ୟ ୧୦ ଲକ୍ଷ ଡଲାର ହେବ। ଏହି ୭୦ ଗାଡ଼ିଙ୍କ ସହିତ ୨୭ଟି ହମଭିକୁ ସେନା ନିଷ୍କ୍ରିୟ କରିଛି। ଏସବୁକୁ ଆଉ କେହି ମଧ୍ୟ ବ୍ୟବହାର କରି ପାରିବେ ନାହିଁ। ଆମେରିକା ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଯେଉଁ ସି-ରାମ୍ ସିଷ୍ଟମ ଓ ଆର୍ଟିଲାରି ସିଷ୍ଟମ ବ୍ୟବହରା କରୁଥିଲା ତାକୁ ମଧ୍ୟ ଅକାମୀ କରାଯାଇଛି। ଏହି ସିଷ୍ଟମ ଦ୍ୱାରା କାବୁଲ ବିମାନ ବନ୍ଦର ଉପରେ ହେଉଥିବା ରକେଟ୍ ଆକ୍ରମଣକୁ ପ୍ରତିହତ କରାଯାଉଥିଲା। ଶେଷ ବିମାନ ଉଡିବା ସହିତ ଏହି ସିଷ୍ଟମକୁ ଆମେରିକା ଅକାମି କରିଦେଇଥିଲା।
ସୂଚନାଯୋଗ୍ୟ ଯେ, ୧୫ ଅଗଷ୍ଟରୁ ଆମେରିକା ସେନା କାବୁଲ ବିମାନ ବନ୍ଦରରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ୩୧ ଅଗଷ୍ଟ ସୁଧା ଆମେରିକାକୁ କାବୁଲ ଛାଡ଼ିବା ପାଇଁ ତାଲିବାନ କହିଥିଲା।

Leave a Reply