ଜାତିସଂଘରେ ପାକିସ୍ତାନ ବିରୋଧରେ ଭାରତର ଯୁଦ୍ଧଂ ଦେହୀ ଡାକରା

1 min read

ନନ୍ଦିଘୋଷ ବ୍ୟୁରୋ: ଜାତିସଂଘରେ ପାକିସ୍ତାନ ବିରୋଧରେ ଭାରତର ଯୁଦ୍ଧଂ ଦେହୀ ଡାକରା । ପାକିସ୍ତାନ ସୀମା ପାର୍ ଆତଙ୍କବାଦ ବନ୍ଦ କରୁ ବୋଲି ଦାବି କରିଛି ଭାରତ । ଏହା ସହ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରୁ ତୁରନ୍ତ ହଟିବା ସହ ନିଜ ଦେଶର ମାଟିରୁ ଆତଙ୍କବାଦୀ କ୍ରିୟାକଳାପ ବନ୍ଦ ଲାଗି ଦାବି କରିଛି ଭାରତ । ଜାତିସଂଘ ସାଧାରଣ ଆସେମ୍ବ୍ଳିର ୭୮ତମ ଅଧିବେଶନରେ ଯୋଗଦେଇ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନଓ୍ବର ଉଲ ହକ କକ୍କର କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଛି ଭାରତ ।

ପାକିସ୍ତାନ ଅନ୍ତର୍ଜାତିକ ଫୋରମର ଅପବ୍ୟବହାର କରିବା ସହ ନୂଆଦିଲ୍ଲୀ ବିରୋଧୀ ଆଭିମୁଖ୍ୟ ପ୍ରକାଶ କରୁଛି ବୋଲି କହିଛି ଭାରତ । ଜାମ୍ମୁ ଓ କାଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ ଅଙ୍ଗ ଏବଂ ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି ଜାତିସଂଘରେ ଭାରତ ଫାଷ୍ଟ ସେକ୍ରେଟାରୀ ପେଟାଲ ଗେହଲଟ । ସେ କହିଛନ୍ତି- ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରର ପାକିସ୍ତାନର ଏହି ସବୁ କାର୍ଯ୍ୟକଳାପ ବନ୍ଦ ହେବାର ଆବଶ୍ୟକତା ରହିଛି । ତୁରନ୍ତ ପାକିସ୍ତାନ ନିଜର ଆତଙ୍କବାଦୀ କ୍ରିୟାକଳାପ ବନ୍ଦ କରୁ । ପାକ୍ ଅଧିକୃତ ଅଞ୍ଚଳ ତୁରନ୍ତ ଖାଲି କରୁ । ୨୦୦୮ ମୁମ୍ବାଇ ଆତଙ୍କୀ ହମଲା ଘଟଣାରେ ଜଡ଼ିତ ଆତଙ୍କୀମାନଙ୍କ ବିରୋଧରେ ପାକିସ୍ତାନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗେହଲଟ ।