ଆତଙ୍କବାଦୀଙ୍କ ଧମକ: କାଶ୍ମୀର ଛାଡ଼, ନହେଲେ…

କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ରାଜ୍ୟ ବାହାରର ଲୋକଙ୍କୁ କେବଳ ହତ୍ୟା କରୁନାହାନ୍ତି, ଘାଟି ଛାଡି ଚାଲିଯିବାକୁ ଧମକ ଦେଉଛନ୍ତି । ରବିବାର ଦକ୍ଷିଣ କାଶ୍ମୀରର କୁଲଗାମ୍ ଜିଲ୍ଲାରେ ବିହାରର ଦୁଇ ଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଲଶ୍କର ସଂଗଠନର ୟୁନାଇଟେଡ ଲିବରେସନ ଫ୍ରଣ୍ଟ ହତ୍ୟା ପାଇଁ ନିଜକୁ ଦାୟି କରିବା ସହ ବାହାର ରାଜ୍ୟର ଲୋକଙ୍କୁ ଘାଟି ଛାଡି ଚାଲିଯିବାକୁ ଧମକ ଦେଇଛି ।

ନିରୀହ ଲୋକଙ୍କୁ ହତ୍ୟା କରିବା ପରେ ଆତଙ୍କୀ ସଂଗଠନ ନୋଟିସ ଜାରି କରିଛି । ଏହି ଧମକପୂର୍ଣ୍ଣ ନୋଟିସରେ ପ୍ରବାସୀ ଶ୍ରମିକଙ୍କୁ ଘାଟି ଛାଡି ଚାଲିଯାଅ ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି । ସେତିକି ନୁହେଁ ଜମ୍ମୁ ଓ କାଶ୍ମୀରର ନେତା ଏବଂ ପୋଲିସ କର୍ମଚାରୀଙ୍କ ପରିବାରକୁ ବି ଅାକ୍ରମଣ କରାଯିବାକୁ ଧମକ ଦେଇଛି ।

ସୂଚନାଯୋଗ୍ୟ, ସୁରକ୍ଷାବାହିନୀଙ୍କ ଆଣ୍ଟି ଟେରର୍ ଅପରେସନରେ ଆତଙ୍କବଦୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏଥିପାଇଁ ସେମାନେ ନିରୀହ ଜନତାଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି ।

ରବିବାର ୟୁନାଇଟେଡ ଲିବରେସନ ଫ୍ରଣ୍ଟର ଆତଙ୍କୀ କୁଲଗାମ୍ ଜିଲ୍ଲାରେ ବିହାରର ଦୁଇ ଶ୍ରମିକଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିଲେ । ମୃତକମାନେ ହେଲେ ରାଜା ଏବଂ ଜୋଗେନ୍ଦର । ଅାକ୍ରମଣରେ ଚୁନଚୁନ ଦେବ ନାମକ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

Leave a Reply