ଏଠି ସ୍କୁଲ ଫି ବାବଦକୁ ପିଲାଙ୍କୁ ଦେବାକୁ ପଡ଼େ ସପ୍ତାହକୁ ୨୫ ପ୍ଲାଷ୍ଟିକ ବୋତଲ

ଆସାମ: ଆଜିର ଦିନରେ ପିଲାଙ୍କୁ ପାଠ ପଢ଼ାଇବା କଷ୍ଟକର ହୋଇଗଲାଣି । ବିଶେଷ କରି ବେସରକାରୀ ସ୍କୁଲରେ । ସବୁ ବାପାମାଆ ଚାହାନ୍ତି ସେମାନଙ୍କ ପିଲା ଭଲ ସ୍କୁଲରେ ପାଠପଢ଼ି, ଭଲ ମଣିଷଟେ ହେଉ । ହେଲେ, ବର୍ତ୍ତମାନ ସମୟରେ ବେସରକାରୀ ସ୍କୁଲରେ ପାଠପଢ଼ା ଫି ଅଭିଭାବକଙ୍କ ଚିନ୍ତା ବଢ଼ାଇଛି । ଏଥିପାଇଁ ବହୁ ଲୋକ ପିଲାର ପାଠପଢ଼ା ପାଇଁ ଟଙ୍କା ସଞ୍ଚୟ କରିବାକୁ ନାନା ଫନ୍ଦି ଆପଣାଇଥାନ୍ତି ।

ତେବେ ସବୁ ବେସରକାରୀ ସ୍କୁଲ ପିଲାଙ୍କ ପାଠପଢ଼ା ପାଇଁ ମୋଟା ଅଙ୍କର ସ୍କୁଲ ଫି ନେଇ ନଥାନ୍ତି । ଏମିତି ବି କିଛି ସ୍କୁଲ ଅଛି, ଯେଉଁଠି ସ୍କୁଲ ଫି ପାଇଁ ଅଭିଭାବକଙ୍କୁ ଚିନ୍ତା କରିବାକୁ ପଡ଼ି ନଥାଏ । ଜାଣନ୍ତୁ, ଆସାମାରେ ଥିବା ଏମିତି ଏକ ସ୍କୁଲ ବିଷୟରେ ଯେଉଁଠି ପିଲାମାନେ ପାଠ ପଢ଼ିବା ଟଙ୍କା ବଦଳରେ ଦେଇଥାନ୍ତି ପ୍ଲାଷ୍ଟିକ ବୋତଲ ।

ଗୌହାଟୀରେ ଥିବା ଏହି ସ୍କୁଲ ନାଁରେ ରହିଛି ଅନେକ ରେକର୍ଡ । ଗ୍ରାମାଞ୍ଚଳର ଶହେରୁ ଅଧିକ ପିଲା ଏଠାରେ ପାଠ ପଢୁଛନ୍ତି । ଯାହା ଅନ୍ୟ ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଛି । ଏଠାରେ ପିଲାଙ୍କ ପାଖରୁ ଫି ବାବଦକୁ ଟଙ୍କା ବଦଳରେ ପ୍ଲାଷ୍ଟିକ ବୋତଲ ନିଆଯାଇଥାଏ । ତାହା ପୁଣି ସପ୍ତାହକୁ ୨୫ଟି । କେବଳ ପାଠପଢ଼ା ନୁହେଁ, ପିଲାମାନେ ରୋଜଗାର ବି କରୁଛନ୍ତି ।

ଏମିତି ସ୍କୁଲ ଖୋଲିବାର ଚିନ୍ତା ପରମିତା ଶର୍ମା ଏବଂ ମାଜିନ୍ ମୁକ୍ତାରଙ୍କୁ ଆସିଥିଲା । ସେମାନେ ଅଞ୍ଚଳରେ ଅଳିଆ ଆବର୍ଜନା ଦେଖି ଦୁଃଖି ହୋଇଯାଇଥିଲେ । ଏପରିକି ଅଞ୍ଚଳର ଲୋକେ ଶୀତ ଦିନେ ପ୍ଲାଷ୍ଟିକକୁ ଜଳାଇ ଗରମ ସେକ ନେଉଥିବା ଦେଖିଥିଲେ । ସେମାନେ ଜାଣିବାକୁ ପାଇଥିଲେ, ଅଞ୍ଚଳର ଲୋକେ ପ୍ଲାଷ୍ଟିକର ଅପକାରୀତା ବିଷୟରେ କିଛି ଜାଣନ୍ତି ନାହିଁ । ଏମିତି ସ୍ଥିତିରେ ସେମାନେ ଅଞ୍ଚଳର ପିଲା ଓ ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । ଯାହାର ଉଦାହରଣ ଏବେ ଏହି ସ୍କୁଲ ପାଲଟିଛି । ଏଠାରେ ପିଲାଙ୍କୁ ପାଠପଢ଼ା ସହ କାରପେଣ୍ଟିଂ, ଗାର୍ଡନିଂ ଓ ଅନ୍ୟ ବୈଷୟିକ ଶିକ୍ଷା ଦିଆଯାଉଛି । ଏହାସହ ପ୍ଲାଷ୍ଟିକ ବୋତଲକୁ କେମିତି ବ୍ୟବହାର କରି ହେବ ଓ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ ବନାଇ ହେବ ସେ ନେଇ ଶିକ୍ଷା ଦିଆଯାଉଛି ।