ITI ଛାତ୍ରଛାତ୍ରୀଙ୍କ ନିଆରା ଉଦ୍ୟମ, ୨୦ ହଜାର ପ୍ଲାଷ୍ଟିକ ବୋତଲରେ ତିଆରି କଲେ ମାଛ

ବ୍ରହ୍ମପୁର: ପ୍ଲାଷ୍ଟିକ ବୋତଲରେ ମାଛ । ଗୋଟିଏ କି ଦୁଇଟା ନୁହେଁ, ଲାଗିଛି ୨୦ ହଜାର ପ୍ଲାଷ୍ଟିକ ବୋତଲ । ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟ ନେଇ ଏମିତି ଏକ ମାଛ ତିଆରି କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ । ଏପରି ମାଛ ତିଆରି କରି ଛାତ୍ରଛାତ୍ରୀ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।

ବିଭିନ୍ନ ସମୟରେ ଅଦରକାରୀ ବସ୍ତୁରୁ ଭିନ୍ନ ଭିନ୍ନ ଜିନିଷ ପ୍ରସ୍ତୁତ କରି ବେଶ ସୁନାମ ଅର୍ଜନ କରିଛି ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ । ଆଉ ବହୁବାର ରେକର୍ଡର ମଧ୍ୟ ଅଧିକାରୀ ହୋଇଛି । ଏବେ ବୋତଲ ଖିଆ ମାଛ ପ୍ରସ୍ତୁତ କରି ଛୁଇଁଛି ଆଉ ଏକ ମାଇଲଖୁଣ୍ଟ । ୨୦ ହଜାର ପ୍ଲାଷ୍ଟିକ ବୋତଲରେ ୩୦ ଫୁଟ ଉଚ୍ଚତା ଓ ୧୦୦ କିଲୋ ଓଜନର ଏହି ମାଛ ପ୍ରସ୍ତୁତ ହୋଇଛି । ପ୍ଲାଷ୍ଟିକ ମୁକ୍ତ ପରିବେଶ ଓ ୱେଷ୍ଟ ଟୁ ୱେଲଥକୁ ଗୁରୁତ୍ୱ ଦିଆଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ୨୦ ହଜାର ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରିଥିଲେ ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ । ଏଥିରେ ନିର୍ମାଣ ହୋଇଥିଲା ଏହି ମାଛ, ଯାହାକୁ ଶେଷ କରିବାକୁ ୧୫ରୁ ୨୦ ଦିନ ଲାଗିଥିଲା ।

ଅନୁଷ୍ଠାନର ଛାତ୍ରୀନିବାସ ପରିସର ରାସ୍ତା ପାର୍ଶ୍ୱରେ ଏହି ମାଛର ପ୍ରତିକୃତିକୁ ରଖାଯାଇଛି । ତାକୁ ଯିଏ ବି ଦେଖିବ ତା’ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ ସଚେତନ ସୃଷ୍ଟି ହେବ ବୋଲି ଆଶା ରଖାଯାଇଛି । କେବଳ ମାଛ ନୁହେଁ, ଆଗରୁ ଏହି ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏକ ବିରାଟକାୟ ହାତୀ ବି ପ୍ରସ୍ତୁତ କରିଥିଲେ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ । ଯାହା ଗିନିଜ ବୁକ ଅଫ ରେକର୍ଡ, ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ଅଦରକାରୀ ଦ୍ରବ୍ୟରେ ଏମିତି ସଚେତନତା ଧର୍ମୀ ବସ୍ତୁ ପ୍ରସ୍ତୁତ କରାଯାଇ ନିଜ କ୍ୟାମ୍ପସ ଓ ସହରର ବିଭିନ୍ନ ଛକରେ ଏହାକୁ ସ୍ଥାପନ କରାଯାଉଛି । ଆଉ ଏସବୁ ସାମଗ୍ରୀ ପ୍ରସ୍ତୁତ କରି ବେଶ ଖୁସି ଥିବା କହିଛନ୍ତି ଅନୁଷ୍ଠାନର ଛାତ୍ରଛାତ୍ରୀ ।