ଖାଦ୍ଯଶସ୍ଯ ଓ ପନିପରିବା ସାଇତି ରଖିବାକୁ ଓଡ଼ିଶା ସମ୍ପୂର୍ଣ୍ଣ ସକ୍ଷମ
ଭୁବନେଶ୍ବର: ରାଜ୍ୟରେ ଖାଦ୍ୟଶସ୍ୟ ଓ ପନିପରିବା ଗଚ୍ଛିତ ରଖିବାକୁ ଆବଶ୍ୟକ ଗୋଦାମ ସୁବିଧା ରହିଛି । ଖୋଦ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ମୁନ୍ନା ଖାନଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ଏଥିସହିତ ରାଜ୍ୟରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରିହାତି ପ୍ରଦାନ କରୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଖାଦ୍ୟଶସ୍ୟ ଓ ପନିପରିବା ପାଇଁ ଆସନ୍ତା ଉତ୍ପାଦନ ଋତୁରେ ଷ୍ଟୋରେଜ ବ୍ୟବସ୍ଥା ସହ ଶୀତଳ ଭଣ୍ଡାର ଭିତ୍ତିଭୂମି ବୃଦ୍ଧି ନେଇ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ବିଜେଡିର ଦୁଇ ସାଂସଦ ପ୍ରଶ୍ନ କରିଥିଲେ ।
ରାଜ୍ୟରେ ଖାଦ୍ୟଶସ୍ୟ ମହଜୁଦ ରଖିବାକୁ ୮ ଲକ୍ଷ ୭୩ ହଜାର ମେଟ୍ରିକ ଟନ ଷ୍ଟୋରେଜ ଆବଶ୍ୟକତା ଥିବା ବେଳେ ଖାଦ୍ୟ ନିଗମର ୧୨ ଲକ୍ଷ ୬୦ ହଜାର ମେଟ୍ରିକ ଟନ କ୍ଷମତାର ଗୋଦାମ ରହିଛି । ସେହିଭଳି ପନିପରିବା ଗଚ୍ଛିତ ରଖିବାକୁ ରାଜ୍ୟରେ ରହିଛି ୧୮୨ଟି ଶୀତଳ ଭଣ୍ଡାର । ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୫ ହଜାର ମେଟ୍ରିକ ଟନ ପନିପରିବା ଗଚ୍ଛିତ ରଖିବାକୁ ଶୀତଳ ଭଣ୍ଡାରର ଆବଶ୍ୟକତା ଥିବା ବେଳେ ୧୮୨ଟି କୋଲ୍ଡ ଷ୍ଟୋରେଜର କ୍ଷମତା ୫ ଲକ୍ଷ ୭୯ ହଜାର ମେଟ୍ରିକ ଟନ । ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ମୁନ୍ନା ଖାନଙ୍କ ଲିକ୍ଷିତ ପ୍ରଶ୍ନରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରମନାଥ ଠାକୁର ଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ଗୋଦାମ କ୍ଷମତା ଓ ଶୀତଳ ଭଣ୍ଡାର ଭିତ୍ତିଭୂମି ବୃଦ୍ଧି ପାଇଁ କି ଯୋଜନା ରହିଛି ବୋଲି ପ୍ରଶ୍ନ କରିଥିଲେ ଦୁଇ ବିଜେଡି ସାଂସଦ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ନିଜସ୍ବ ଶୀତଳ ଭଣ୍ଡାର ପ୍ରତିଷ୍ଠା କରନ୍ତି ନାହିଁ । କିନ୍ତୁ କୌଣସି ବ୍ୟକ୍ତି, ଚାଷୀ ଗୋଷ୍ଠୀ, ନିଗମ, ସମବାୟ ସଂସ୍ଥା କିମ୍ବା ରାଜ୍ୟ ସରକାରଙ୍କୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ରିହାତି ପ୍ରଦାନ କରିଥାନ୍ତି । ସମନ୍ବିତ ଉଦ୍ୟାନ କୃଷି ମିଶନ ଜରିଆରେ ୫ ହଜାର ମେଟ୍ରିକ ଟନ ପର୍ଯ୍ୟନ୍ତ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ସଂପ୍ରସାରଣ ପାଇଁ ରାଜ୍ୟ ସରକାର ବାର୍ଷିକ ଆକ୍ସନ ପ୍ଲାନ ଆଧାରରେ ସହାୟତା ଓ ରିହାତି ପ୍ରଦାନ କରିଥାନ୍ତି । ଶୀତଳ ଭଣ୍ଡାର ପାଇଁ ସାଧାରଣ ଭାବେ ୩୫ ପ୍ରତିଶତ ଓ ପାହାଡିଆ ଅଞ୍ଚଳ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଓଡିଶା ସମେତ ଅନ୍ୟ ରାଜ୍ୟକୁ ମଧ୍ୟ କେନ୍ଦ୍ର ସରକାର ରିହାତି ପ୍ରଦାନ କରୁଛନ୍ତି । ଶୀତଳ ଭଣ୍ଡାର ପାଇଁ କେନ୍ଦ୍ର ସରକାର କୃଷି ଭିତ୍ତିଭୂମି ପାଣ୍ଠିରେ ୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏହି ପାଣ୍ଠି ଜରିଆରେ ଶୀତଳ ଭଣ୍ଡାର ପାଇଁ ୨ କୋଟି ପର୍ଯ୍ୟନ୍ତ ଋଣ ଓ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରାଯାଉଛି ।