ମରଣଯନ୍ତା ପାଲଟିଛି NH-55: ନିଘୋଡ଼ ନିଦରେ ଶୋଇଛନ୍ତି ଧର୍ମେନ୍ଦ୍ର, ଦେଖାଯାଉନି ଲୋକଙ୍କ ଦୁର୍ଦ୍ଦଶା

1 min read

ଭୁବନେଶ୍ବର: ଏନଏଚ-୫୫ ପାଲଟିଛି ମରଣଯନ୍ତା । ପ୍ରତିଦିନ ପ୍ରାୟ ୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି । ୭ ବର୍ଷ ହେଲା ଏହାର ସମ୍ପ୍ରସାରଣ ଓ ମରାମତି କରୁଛି ଏନଏଚଏଆଇ । ନା କାମ ସରୁଛି, ନା ସ୍ଥିତି ସୁଧୁରୁଛି । ଗୁରୁତ୍ବପୁର୍ଣ୍ଣ କଥା ହେଲା ଏନଏଚ-୫୫ ଅନୁଗୁଳ ଦେଇ ଯାଇଥିବା ବେଳେ ଏହା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା । ହେଲେ ଧର୍ମେନ୍ଦ୍ର ନିଘୋଡ଼ ନିଦରେ ଶୋଇଛନ୍ତି । ତାଙ୍କୁ ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଦେଖାଯାଉନି । ଶୀଘ୍ର ଜାତୀୟ ରାଜପଥ ମରାମତି କରାନଗଲେ ଏହାର ଦୃଢ଼ ଜବାବ ମିଳିବ । ଆଜି ଏମିତି କିଛି କହି ଏନଏଚଏଆଇ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି ।

ଦଳ ପକ୍ଷରୁ କୁହାଯାଇଛି, କଟକରୁ ସମ୍ବଲପୁରକୁ ଯୋଡୁଛି ଏନଏଚ-୫୫ । ଏହା ଓଡ଼ିଶାର ଜୀବନ ରେଖା । ଦେଶର ସବୁଠାରୁ ସଙ୍କଟପୂର୍ଣ୍ଣ ରାସ୍ତା ପାଲଟିଛି ଏନଏଚ-୫୫ । ସ୍ଥିତି ଏମିତି ଜୀବନରେଖାରୁ ମୃତ୍ୟୁଯନ୍ତା ପାଲଟିଗଲାଣି । ଏନଏଚଏଆଇ ରାସ୍ତା ମରାମତି ଓ ସଂପ୍ରସାରଣ କରୁଛି । ୭ ବର୍ଷ ହୋଇଗଲା ଏହି ମରାମତି ଓ ସମ୍ପ୍ରସାରଣ କାମ ଚାଲିଛି ଯେ ସରିବାର ନାଁ ଧରୁନି । ଏହି ରାସ୍ତାରେ ଜୀବନ ବାଜି ଲାଗୁଛି । ଆମ୍ବୁଲାନ୍ସରେ ଆସିବା ବେଳେ ରୋଗୀଙ୍କ ଜୀବନ ଚାଲିଯାଉଛି । ପ୍ରତିଦିନ ହାରାହାରି ଦୁଇ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି ।

ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ରୋଡ୍ ସେଫଟି କମିଟି ବୈଠକକୁ ଏନଏଚଏଆଇ ଅଧିକାରୀଙ୍କୁ ଡାକାଯାଇଥିଲା । ଲାଗୁଛି ଏନଏଚ କର୍ତ୍ତୃପକ୍ଷଙ୍କ ଚମଡା ମୋଟା ହୋଇଗଲାଣି । ନା ବୈଠକକୁ ଆସୁଛନ୍ତି ନା ଉତ୍ତର ଦେଉଛନ୍ତି । ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଜବାବ ଦେବେ ।

ପ୍ରେସମିଟରେ ବିଜେଡି ପକ୍ଷରୁ କୁହାଯାଇଛି, ନିଜ ଜିଲ୍ଲାରେ ଜାତୀୟ ରାଜପଥ ମରଣଯନ୍ତା ପାଳଟିଥିଲେ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହା ଦିଶୁନି । ସେ ନିଘୋଡ ନିଦରେ ଶୋଇଛନ୍ତି । ନିଜ ଜିଲ୍ଲାର ଲୋକଙ୍କ ଦୁଃଖ କଷ୍ଟ ଦେଖିପାରୁନାହାନ୍ତି । ୭ ବର୍ଷ ହେଲା ଚାଲିଥିବା ମରାମତି ଓ ସମ୍ପ୍ରସାରଣ କାମ କେମିତି ସରିବ ଜୋର ଦେଉନାହାନ୍ତି । ଆଶା କରୁଛୁ ଧର୍ମେନ୍ଦ୍ର ଏଥିପ୍ରତି ଧ୍ୟାନ ଦେବ, ନ ହେଲେ ଓଡ଼ିଶାବାସୀ ଏହାକୁ ବରଦାସ୍ତ କରିବେ ନି ଓ ଉଚିତ ଜବାବ ଦେବେ ।