ନନ୍ଦନକାନନ ବୁଲିଲେ କେନ୍ଦ୍ରମନ୍ତ୍ରୀ, ସିହଂ ଓ ବାଘ ଶାବକର କଲେ ନାମକରଣ

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଓ ସିଂହ ଶାବକର ନାମକରଣ । ସିଂହୀ ବିଜୁଳି ଔରସରୁ ଜନ୍ମ ଶାବକର ନାମକରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ କୁମାର ଚୋବେ । ଶାବକଟିର ନାଁ ରଖାଯାଇଛି କାମିନୀ । ଏହା ସହିତ ଧଳା ବାଘ ଔରସରୁ ଜନ୍ମିତ ଶାବକର ନାଁ ରଖାଯାଇଛି ହିମାଂଶୀ । ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ଜାତୀୟ ଜୁ ସମ୍ମିଳନୀର ଶେଷ ଦିନରେ ଦୁଇ ଶାବକଙ୍କ ନାମକରଣ କରିବା ସହ ପ୍ରାଣୀ ଉଦ୍ୟାନ ବୁଲି ଦେଖିଛନ୍ତି ମନ୍ତ୍ରୀ ।

ନନ୍ଦନକାନନ ପରିଦର୍ଶନ ସମୟରେ  ମଣିଷ ଦ୍ୱାରା ପାଳିତ ହୋଇଥିବା ଏକ ବର୍ଷୀୟ ସିହୀଂକୁ ଦେଖି ଖୁସି ବ୍ୟକ୍ତ କରିଥିଲେ  କେନ୍ଦ୍ରମନ୍ତ୍ରୀ । ଦୁଇଦିନ ଧରି ଚାଲିଥିବା ସମ୍ମିଳନୀରେ ଦେଶର ୧୦୦ଟି ଚିଡ଼ିଆଖାନାର ନିର୍ଦ୍ଦେଶକ ଯୋଗଦେଇଥିଲେ । ଗତକାଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଭୂପିନ୍ଦର ଯାଦବ ନନ୍ଦନକାନନ ପରିଦର୍ଶନ କରିଥିଲେ ।

ଓଡ଼ିଶାରେ ଚାଲିଥିବା ଏହି ଚିଡ଼ିଆଖାନା ସମ୍ମିଳନୀରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି  । ଦେଶରୁ ବିଲୁପ୍ତ ସାଜିଥିବା ଚିତା ବାଘକୁ ପୁନର୍ବାର ଦେଶକୁ ଫେରାଇ ଆଣିବା  ନେଇ ମଧ୍ୟ ନିଷ୍ପତ୍ତି ହୋଇଛି   । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ପାଳନ ହେବାକୁ ଥିବାବେଳେ ସେହିଦିନ ଭାରତକୁ ଚିତାବାଘ ଅଣାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ  । ଏମିତିକି ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱସ୍ତରୀୟ କରାଯିବା ନେଇ କାର୍ଯ୍ୟକରାଯିବ ବୋଲି ଆଲୋଚନା ହୋଇଛି  ।