ଦେଶକୁ ପୁଣି ଡରାଇଲା କରୋନା, ୫ ରାଜ୍ୟରେ ହାଇ ଆଲର୍ଟ୍

1 min read

ନୂଆଦିଲ୍ଲୀ: ବିଶ୍ୱରେ ପୁଣି ବଢ଼ିଲାଣି କରୋନା ସଂକ୍ରମଣ । ଚୀନ ଓ ଆମେରିକାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଚୀନ ଓ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ମଧ୍ୟରେ ଭାରତର ପାଞ୍ଚଟି ରାଜ୍ୟକୁ ଚେତାବନୀ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ, ହରିଆଣା, କେରଳ, ମହାରାଷ୍ଟ୍ର ଓ ମିଜୋରାମ ସରକାରଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ସଜାଗତା ବୃଦ୍ଧି କରିବାକୁ ଓ ସଂକ୍ରମଣ ହାର ବୃଦ୍ଧି ହେବାର କାରଣକୁ ଗମ୍ଭୀରତାର ସହ ଅନୁଧ୍ୟାନ କରିବାକୁ କହିଛନ୍ତି ।

ତେବେ ଏହାରି ମଧ୍ୟରେ ଗୁଜୁରାଟର ଜଣେ ବ୍ୟକ୍ତି କରୋନାର XE ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗୁଜୁରାଟରେ XM ଭାରିଆଣ୍ଟର ଗୋଟିଏ ମାମଲା ମଧ୍ୟ ଚିହ୍ନଟ ହୋଇଛି । କିଛି ଦିନ ପୂର୍ବରୁ ମୁମ୍ବାଇର ଜଣେ ମହିଳା XE ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଖବରକୁ ଖଣ୍ଡନ କରିଥିଲା ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କି ଏହି ୫ଟି ରାଜ୍ୟ ଗୁଡିକରେ ପ୍ରତିଦିନ ପଜିଟିଭିଟି ରେଟ୍‌ ବୃଦ୍ଧି ପାଉଛି । ଅର୍ଥାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିସ୍ଥିତିକୁ ଗମ୍ଭୀରତାର ସହ ସମୀକ୍ଷା କରିବା ଉଚିତ୍ । ଯଦି ଆବଶ୍ୟକ ହୁଏ ତେବେ କୋଭିଡ-୧୯କୁ ନେଇ ନୂଆ ଗାଇଡଲାଇନ ଜାରି କରିବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗୋଟିଏ ପଟେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । କିନ୍ତୁ ଗତ ସପ୍ତାହ ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର, ହରିଆଣା, କେରଳ ଏବଂ ମିଜୋରାମରେ ହଠାତ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ପାଇଛି । ଯାହା ଫଳରେ ଏହି ୫ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ ସୂଚନା ପଠାଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୩୫୩, ମହାରାଷ୍ଟ୍ରରେ ୧୧୩, ହରିଆଣାରେ ୩୩୬ ଓ ମିଜୋରାମରେ ୧୨୩ଟି ମାମଲା ଚିହ୍ନଟ ହୋଇଛି । ଯଦି ପୂରା ଦେଶ ସ୍ଥିତି କଥା କହିବା ତାହାଲେ ଗତ ୨୪ ଘଣ୍ଟାରେ ଭାରତରେ ୧,୧୦୯ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୪୩ ଜଣଙ୍କର ମୃତ୍ୟୁ ହୋଇଛି ।