ନନ୍ଦିଘୋଷ ବ୍ୟୁରୋ ; ନିର୍ମଳା ସୀତାରମଣଙ୍କ ବଜେଟରେ ଓଡ଼ିଶା। କେନ୍ଦ୍ର ବଜେଟରେ ଉତ୍ସର୍ଗୀକୃତ ବିରଳ ମୃତ୍ତିକା କରିଡର ପ୍ରତିଷ୍ଠା ଲାଗି ଘୋଷଣା ହୋଇଛି। ଭାରତର ପ୍ରସ୍ତୁତି କ୍ଷେତ୍ରକୁ ଶକ୍ତିଶାଳୀ କରିବା ଏବଂ ଜରୁରୀ ଖଣିଜ ପଦାର୍ଥର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଲାଗି ଏହି କରିଡର ସକ୍ଷମ ହେବ। ଏହି କରିଡର ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁକୁ ସଂଯୋଗ କରିବ। ରେୟାର ଆର୍ଥ ପର୍ମାନେଣ୍ଟ ମାଗନେଟ ଲାଗି ଏକ ଯୋଜନା ଗତବର୍ଷ କରାଯାଇଥିଲା। ଏହି କରିଡରର ବହୁ ଆଧୁନିକ ପ୍ରଯୁକ୍ତିର ଉପଯୋଗ ହେବ। ଏହି ୪ଟି ରାଜ୍ୟରେ ବିପୁଳ ବିରଳ ମୃତ୍ତିକା ଗଚ୍ଛିତ ଥିବାରୁ ଏହି କରିଡର ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଇଛନ୍ତି ଅର୍ଥମନ୍ତ୍ରୀ। ଏହା ସହ ଏହି ୪ ରାଜ୍ୟରେ ବନ୍ଦର ବ୍ୟବସ୍ଥା ଥିବା ସହ ବିପୁଳ ଖଣିଜ ପଦାର୍ଥ ଗଚ୍ଛିତ ରହିଛି।
ସେହିପରି ମାଲ ପରିବହନ ଲାଗି ଏକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ପ୍ରତିଷ୍ଠା ହେବ। ଏହା ପୂର୍ବରେ ଡାଙ୍କୁନିରୁ ପଶ୍ଚିମରେ ସୁରଟ ସହ ଯୋଡ଼ିବ। ଆସନ୍ତା ୫ ବର୍ଷର ଦେଶରେ ପ୍ରତିଷ୍ଠା ହେବ ୨୦ଟି ନୂଆ ଜଳପଥ। ଓଡ଼ିଶାରେ ଜାତୀୟ ଜଳପଥ-୫ ଆରମ୍ଭ ହେବ ଯାହା ଖଣିଜ ଭରପୂର ତାଳଚେର ଓ ଅନୁଗୁଳକୁ ଯୋଡ଼ିବ। କଳିଙ୍ଗ ନଗର ଶିଳ୍ପାଞ୍ଚଳକୁ ବି ଯୋଡିବ ଜଳପଥ। ଧାମରା ଓ ପାରାଦୀପ ବନ୍ଦରକୁ ଏହା ଯୋଡ଼ିବ। ଏଥିଲାଗି ଆଞ୍ଚଳିକ ତାଲିମ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ।
ଓଡ଼ିଶା, କର୍ଣ୍ଣାଟକ, କେରଳସ୍ଥିତ କଇଁଛ ଅଣ୍ଡାଦାନ କେନ୍ଦ୍ରକୁ ଟର୍ଟଲ ଟ୍ରେନ ଓ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁକୁ ବାର୍ଡ ୱାଚିଂ ଟ୍ରେନ ପ୍ରଚଳନ କରିବା ଲାଗି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

