ୟୁନିୟନ ବ୍ୟାଙ୍କରୁ ୪୪ କୋଟି ଠକେଇ, ଋଣ ନେବାର ୫ ବର୍ଷ ପରେ ବି ମୂଳ ତ ମୂଳ ସୁଧର ଦେଖାନାହିଁ
1 min readରାୟଗଡ଼ା: ରାଜ୍ୟରେ ବଢୁଛି ବ୍ୟାଙ୍କ ଠକେଇ ସଂଖ୍ୟା । ଏବେ ରାୟଗଡ଼ାରୁ ଆସିଛି ଏଭଳି କିଛି ଅଭିଯୋଗ । ୪୪ କୋଟି ଟଙ୍କାର ବ୍ୟାଙ୍କ ଋଣ ନେଇ ଆଉ ଦେଖା ଦେଉନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ୨୦୧୩ରୁ ୨୦୧୫ ଭିତରେ ୟୁନିୟନ ବ୍ୟାଙ୍କରୁ ଏହି ବେଆଇନ୍ ଋଣ କାରବାର ହୋଇଛି । ମଙ୍ଗଳବାର ସିବିଆଇରେ ମାମଲା ରୁଜୁ ହେବା ପରେ ପୂରା ଘଟଣା ଏବେ ପଦାରେ ପଡ଼ିଛି । ଏହି ଋଣ କାରବାରରେ ସେତେବେଳର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କାରନାମା ମଧ୍ୟ ସନ୍ଦେହ ଘେରରେ । ଅଭିଯୋଗ ଅନୁସାରେ ସିବିଆଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଅଭିଯୁକ୍ତଙ୍କ ବିରୋଧରେ ଠକେଇର ବିଭିନ୍ନ ଧାରାରେ ରୁଜୁ କରାଯାଇଛି ।
ଆମ ରାଜ୍ୟରେ ହିଁ ବୁଲୁଛନ୍ତି ବ୍ୟାଙ୍କକୁ ଚୂନ ଲଗେଇଥିବା କାର୍ପଟଦାର । ଏପଟେ ବିନା ରେକର୍ଡ ପତ୍ରରେ ଋଣ ଦେଇ ଅନ୍ଧାରରେ ବାଡ଼ି ବୁଲାଉଛି ରାୟଗଡ଼ାର ୟୁନିୟନ୍ ବ୍ୟାଙ୍କ । ମୂଳ ଆସିବା ତ ଦୁରର କଥା ସୁଧର ବି ଦେଖାଦର୍ଶନ ନାହିଁ । ମାମଲା ପରେ ସମାନ ଠଙ୍ଗରେ ଏଠି ସେଠି ଚଢ଼ାଉ କରୁଛି ସିବିଆଇ । ଅଭିଯୋଗ ଅନୁସାରେ ରାୟଗଡ଼ାର ତରୁଣଶ୍ରୀ କଟନ୍ ସ୍ପିନଟେକ୍ସ କସ୍ତୁରୀନଗର ଶାଖାରୁ ଋଣ ନେଇଥିଲା । ୨୦୧୩ରୁ ୨୦୧୫ ଭିତରେ ଏହି ଋଣ କାରବାର ହୋଇଥିଲା । ପରେ କେନ୍ଦ୍ର ସରକାରଙ୍କ ଅଧିନିୟମ ଅନୁସାରେ ଆନ୍ଧ୍ର ବ୍ୟାଙ୍କ, ୟୁନିୟନ ବ୍ୟାଙ୍କରେ ବିଲୟ ହୋଇଥିଲା । ଏହାପରେ ହିଁ ଋଣ ଦେଣନେଣର ଗୋଲକ ଧନ୍ଦା ପଦାକୁ ଆସିଥିଲା । ଅନେକ ମାସ ଧରି ଋଣ ନସୁଝିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ମଙ୍ଗଳବାର ସିବିଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ରାୟଗଡ଼ାର ଏକାଧିକ ସ୍ଥାନରେ ଚଢାଉ କରି ଛାନଭିନ ଜାରି ରଖିଛି ସିବିଆଇ ।
ଏଠି ପ୍ରଶ୍ନ ଉଠୁଛି କାହା ଇଙ୍ଗିତରେ କୋଟି କୋଟି ଟଙ୍କାର ହେରଫେର ହେଲା ? ତତ୍କାଳୀନ ବ୍ୟାଙ୍କ ଅଧିକାରୀଙ୍କ ସହ ଋଣ ନେଇଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ହୋଇଥିଲା କି ଡିଲ୍ ? ବିନା କାଗଜପତ୍ରରେ ମାତ୍ର ଲକ୍ଷେ ଟଙ୍କାର ଋଣ ମିଳୁନଥିବା ବେଳେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେମିତି ଦିଆଗଲା ? କମ୍ପାନୀର କଷ୍ଟ୍ରକ୍ସନ କାମ ନାଁରେ ତରୁଣଶ୍ରୀ କଟନ୍ ସ୍ପିନଟେକ୍ସ କର୍ତ୍ତୃପକ୍ଷ- ଚାଭା ଶିବରାମ କ୍ରିଷ୍ଣା ଓ ତାଙ୍କ ପତ୍ନୀ ଚାଭା ନୀଳିମା ଏହି ଋଣ ନେଇଥିଲେ ।
ଠକେଇ ଅଭିଯୋଗର ତଦନ୍ତ ସିବିଆଇ ଆରମ୍ଭ କରିଥିବା ବେଳେ ଠକେଇ ଅର୍ଥ ଅଭିଯପକ୍ତଙ୍କ ସମ୍ପତ୍ତି ନିଲାମ କରି ଆଦାୟ କରାଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।