ହାଇଦ୍ରାବାଦରୁ ଜବତ ହୋଇଥିବା ୧୪୨ କୋଟି ଟଙ୍କା ନଗଦ କ୍ୟାସ୍ କାହାର ?
ହାଇଦ୍ରାବାଦ: ହାଇଦ୍ରାବାଦ ସ୍ଥିତ ହେଟରୋ ଫାର୍ମାସୁଟିକାଲ ଗ୍ରୁପ ଉପରେ ଆୟକର ବିଭାଗ ଚଢ଼ାଉରୁ ୧୪୨ କୋଟି ଟଙ୍କା କ୍ୟାସ୍ ଜବତ ହୋଇଛି । ନଗଦ ଏତେ ଟଙ୍କା ଜବତ ହେବା ଦେଶରେ ସମ୍ଭବତଃ ପ୍ରଥମ ଘଟଣା । ଆସନ୍ତୁ ଜାଣିବା ହେଟରୋ ଫାର୍ମାସୁଟିକାଲ କମ୍ପାନୀ ବାବଦରେ ଓ ଏହି ଟଙ୍କା ପ୍ରକୃତରେ କାହାର ।
ରିପୋର୍ଟ ଅନୁସାରେ ଆଇଟି ମୋଟ ୫୫୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତିର ସୂଚନା ପାଇଛି । ଯାହା ମଧ୍ୟରୁ ୧୪୨ କୋଟି ଟଙ୍କା ନଗଦ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଆଲମିରାରେ ଥାକ ମରା ହୋଇ ୧୪୨ କୋଟି ଟଙ୍କା ରଖା ଯାଇଥିବା ଦେଖିବାକୁ ମିଳୁଛି । ଆଇଟି ଏହା ଭିତରେ ୬ ଟି ରାଜ୍ୟରେ ଥିବା କମ୍ପାନୀର ଅଫିସରେ ତଲାସି କରୁଛି । ମୋଟ ୫୦ ଟି ସ୍ଥାନରେ ଚଢାଉ ଜାରି ଥିବା ଜଣା ପଡ଼ିଛି ।
ହେଟରୋ ବାବଦରେ ଜାଣନ୍ତୁ : CBDT ଅନୁସାରେ ହେଟରୋ ଗ୍ରୁପ୍ ଫାର୍ମାସୁଟିକାଲ ଉତ୍ପାଦନର ପ୍ରଡକ୍ସନ,ଫର୍ମୁଲେସନର ବିତରଣ ଆଦି କାରବାର କରିଥାଏ । ଏହାର ଅଧିକାଂଶ ଉତ୍ପାଦ ଆମେରିକା,ଦୁବାଇ ଓ ଆଫ୍ରିକାର ଦେଶକୁ ରପ୍ତାନି କରାଯାଇଥାଏ । ହେଟରୋ ଗ୍ରୁପ୍ କୋଭିଡ୍-୧୯ ଚିକିତ୍ସା ପାଇଁ ବ୍ୟବହୃତ ରେମେଡିସିଭିର (Remdesivir) ଓ ଫେଭିରିପିରଭି(Favipiravir) ଭଳି ବିଭିନ୍ନ ଔଷଧକୁ ନେଇ ଚର୍ଚ୍ଚାକୁ ଆସିଥିଲା । ଏହାର ଭାରତ, ରୁଷ, ଚୀନ୍, ମିଶର, ଇରାନ ଓ ମେକ୍ସିକୋ ଭଳି ଦେଶରେ ଉତ୍ପାଦନ କେନ୍ଦ୍ର ରହିଛି । ଭାରତ ବାହାରେ ଏହାର ମୋଟ ୨୫ଟି ପ୍ରଡକ୍ସନ ଫେସିଲିଟି ରହିଛି । କମ୍ପାନୀ ତରଫରୁ ଗତ ମାସରେ କୁହାଯାଇଥିଲା ଯେ, ହସ୍ପିଟାଲରେ ଭର୍ତ୍ତି ବୟସ୍କଙ୍କ ପାଇଁ କୋଭିଡ୍ ୧୯ ଚିକିତ୍ସା ପାଇଁ ଆବଶ୍ୟକ Tocilizumab ର ବାୟୋସିମିଲର ଭର୍ସନ ପାଇ ଡ୍ରଗ୍ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ ତରଫରୁ ଅନୁମତି ମିଳିଛି । ସୂଚନାଯୋଗ୍ୟ ଯେ, ୭ ହଜାର ୫ଶହ କୋଟି ଟଙ୍କାର ଏହି କମ୍ପାନୀ କୋଭିଡ୍ ଟିକା ସ୍ପୁଟନିକ୍ ଭି ପାଇଁ ଋଷର ପ୍ରତ୍ୟକ୍ଷ ପୁଂଜି ନିବେଶ ବୋର୍ଡ୍ ସହିତ ଚୁକ୍ତି ସ୍ୱାକ୍ଷର କରିଛି ।
