ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ପ୍ରଶଂସା କଲେ UNDP ସଦସ୍ୟ

1 min read

ଭୁବନେଶ୍ୱର : ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଏବଂ ଲୋକଙ୍କ ପାଖରେ ସୁବିଧାରେ ସେବା ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ୫-ଟି ଏବଂ ମୋ ସରକାର କାର୍ଯ୍ୟକ୍ରମକୁ ଜାତୀୟସ୍ତରର ସଂସ୍ଥାଙ୍କ ପରେ ଏବେ ଅନ୍ତର୍ଜାତୀୟ ସ୍ତରରୁ ମିଳିଛି ପ୍ରଶଂସା । ନୀତି ଆୟୋଗଙ୍କ ପରେ ଜାତିସଂଘର ସଦସ୍ୟ ଏଭଳି କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରିଛନ୍ତି ।


UNDPର ଭାରତ ପ୍ରତିନିଧି ସୋକୋ ନୋଡା ଗତକାଲି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇଥିଲେ । ଏ ସଂପର୍କରେ ଅବଗତ ହେବା ପରେ ଏହାକୁ ସେ ବେଶ୍ ପ୍ରଶଂସା କରିଛନ୍ତି । ୫-ଟି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମଧ୍ୟ ନୋଡା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।


ଜାତିସଂଘ ବିକାଶ ପରିଷଦର ଏହି ପ୍ରତିନିଧି ଦଳ ଆହୁରି କହିଛନ୍ତି ଯେ, ରାଜ୍ୟର ବିକାଶ ମୂଳକ କାର୍ଯ୍ୟରେ ଭାଗିଦାରୀ ହୋଇ ସେମାନେ ଗୌରବ ଅନୁଭବ କରୁଛନ୍ତି । ବିଶେଷକରି, ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପ୍ରଶଂସା କରିଛନ୍ତି । କୋଷ୍ଟାଲ୍ ରେଜିଲିଆନ୍ସ ଉପରେ ଗୁରୁତ୍ୱାରୋପ କରିଥିଲେ ୟୁଏନଡିପି ପ୍ରତିନିଧି ଦଳ । ରାଜ୍ୟରେ ଗାନ୍ଧି ଜୟନ୍ତୀରୁ  ପ୍ରଥମ ପର୍ଯ୍ୟାୟରେ ଥାନା ଓ ଡାକ୍ତରଖାନାରେ ୫-ଟି ଲାଗୁ ହୋଇଥିଲା । ଦୁର୍ନୀତି ରୋକିବା ସହ ଲୋକଙ୍କୁ ସୁବିଧାରେ ଓ ହାତ ପାହାନ୍ତାରେ ସରକାରୀ ସେବା ପ୍ରଦାନକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏହାପରେ ଡିସେମ୍ୱର ପ୍ରଥମ ସପ୍ତାହରୁ କୃଷି, ଉଚ୍ଚଶିକ୍ଷା ଓ ପଞ୍ଚାୟତିରାଜ ବିଭାଗରେ ମୋ-ସରକାର ଓ ୫-ଟି ଲାଗୁ କରାଯାଇଛି । ୧୭ ତାରିଖରେ ମହିଳା ଓ ଶିଶୁ ବିକାଶ ବିଭାଗରେ ୫-ଟିକୁ ଲାଗୁ କରାଯାଇଛି ।


ଗତକାଲି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତା ହାସଲ କରିଛି ସେ ସଂପର୍କରେ ଜାତିସଂଘ ପ୍ରତିନିଧି ଦଳଙ୍କୁ ଅବଗତ କରାଇଥିଲେ ।

 

Leave a Reply