ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ କରୋନା ପଜିଟିଭ୍, ପାକ୍ ଆର୍ମୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ମୁମ୍ବାଇ ଅଣ୍ଡରୱାର୍ଲଡର କୁଖ୍ୟାତ ଡନ୍ ଦାଉଦକୁ କରୋନା । ଦାଉଦ୍ କରୋନା ପଜିଟିଭ୍ ହୋଇଥିବା ଜଣା ପଡିବା ପରେ ତାର ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଅନ୍ୟ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି । କେବଳ ଦାଉଦ ନୁହେଁ,ତାର ପତ୍ନୀ ମଧ୍ୟ କରୋନା ସଂକ୍ରମିତ ବୋଲି ଜଣା ପଡିଛି । ଦାଉଦ୍ ଓ ତାର ପତ୍ନୀ ମହଜବିନ୍ ଏବେ କରାଚୀର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି ।

ସୂଚନାଯୋଗ୍ୟ ଯେ,ପାକିସ୍ତାନରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ପାକିସ୍ତାନ ଦାଉଦକୁ କରୋନା ହୋଇଥିବା ଖବରକୁ ଖଣ୍ଡନ କରିଛି । କାରଣ ଦାଉଦ୍ ପାକିସ୍ତାନରେ ଅଛି ବୋଲି ଇସଲାମାବାଦ ମାନେ ନାହିଁ । ତେବେ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ଅନୁସାରେ ଦାଉଦ ଓ ତା’ର ପତ୍ନୀକୁ କରୋନା ହୋଇଥିବା ଖବର ସତ । ସେମାନଙ୍କ ଚିକିତ୍ସା ପାଇଁ କରାଚୀ ସେନା ହସ୍ପିଟାଲକୁ ସୁରକ୍ଷାଗତ କାରଣରୁ ବଛା ଯାଇଥିବା ସୁରକ୍ଷା ଏଜେନ୍ସି କହିଛନ୍ତି ।

ଦାଉଦର ଘର ପାକିସ୍ତାନ

ଦାଉଦ୍ ଇବ୍ରାହିମ୍ ୧୯୯୩ ବମ୍ବେ ବ୍ଲାଷ୍ଟ୍ ପରେ ଦୁବାଇ ଛାଡି ପାକିସ୍ତାନ ଚାଲିଯାଇଥିଲା । ସେଠାରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସଂରକ୍ଷଣରେ ସେ ରହି ଆସୁଛି । ତେବେ ପାକିସ୍ତାନ ଆଜି ପର୍ଯ୍ୟନ୍ତ ଦାଉଦର ଉପସ୍ଥିତିକୁ ସ୍ୱୀକାର କରିନାହିଁ ।

ଦାଉଦ୍ କିଏ ?

ମୁମ୍ବାଇ ଅଣ୍ଡରୱାର୍ଲଡର ସବୁଠାରୁ ନାମି ନାମ ହେଉଛି ଦାଉଦ୍ ଇବ୍ରାହିମ୍ । ୧୯୮୦ ଦଶକର ଶେଷ ଭାଗରେ ଦାଉଦ୍ ଅଣ୍ଡରୱାର୍ଲଡରେ ପାଦ ଦେଇଥିଲା । ପଠାନ ଗ୍ୟାଙ୍ଗକୁ ସମାପ୍ତ କରି ସେ ମୁମ୍ବାଇ ମାଫିଆର ସବୁଠୁ ବଡ ଚେହେରା ବନିଥିଲା । ଡ୍ରଗ୍ସ, ସୁନା ସ୍ମଗ୍ଲିଂରୁ କାରବାର ଆରମ୍ଭ କରିଥିବା ଦାଉଦ୍ ପରବର୍ତ୍ତି କାଳରେ ଆଇଏସଆଇ ସହ ସମ୍ପର୍କରେ ଆସିଥିଲା । ଆଇଏସଆଇ ପ୍ରରୋଚନାରେ ସେ ମୁମ୍ବାଇରେ ୧୯୯୩ ମସିହାରେ ସିରିଜ୍ ବ୍ଲାଷ୍ଟ୍ କରାଇଥିଲା । ସେତେବେଳେ ସେ ଦୁବାଇରେ ରହୁଥିଲା । ଦୁବାଇ ସରକାର ଉପରେ ଭାରତର ଚାପ ବୃଦ୍ଧି ପାଇବା ପରେ ଦାଉଦ୍ ସେଠାରୁ ପାକିସ୍ତାନ ପଳାଇଥିଲା । ଦାଉଦର ଇସଲାମିକ୍ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି । ଗୋଟିଏ ସମୟରେ ଦାଉଦର ତାଲିବାନ ସହ ସମ୍ପର୍କ ଥିଲା । ୨୦୦୩ ମସିହାରେ ଦାଉଦକୁ ଆମେରିକା ଗ୍ଲୋବାଲ ଜିହାଦୀ ଭାବେ ଘୋଷଣା କରିଥିଲା ।

 

Leave a Reply