ଦ୍ବିତୀୟ ବିବାହ କରିଛି ଦାଉଦ, ଭଣଜା ଖୋଲିଲା ରାଜ୍

1 min read

ନୂଆଦିଲ୍ଲୀ: ଦ୍ବିତୀୟ ବିବାହ କରିଛି ଅଣ୍ଡଓ୍ବର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ । ତାର ଦ୍ବିତୀୟ ପତ୍ନୀ ଜଣେ ପାକିସ୍ତାନୀ ହୋଇଥିବା ସୂଚନା ମିଳିଛି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି NIAର ପଚରାଉଜରା ବେଳେ ଦାଉଦର ଭଉଣୀ ହସିନା ପାରକରର ପୁଅ ତଥା ଦାଉଦର ଭଣଜା ଏହି ଖୁଲାସା କରିଛି ।

କିଛି ଦିନ ତଳେ ଦାଉଦର ଟେରର ନେଟଓ୍ବର୍କକୁ ଧରିବା ପାଇଁ ବିଭିନ୍ନ ଯାଗାରେ ଚଢ଼ାଉ କରିଥିଲା NIA । ଏହି ଯାଞ୍ଚ ବେଳେ NIA ହାତରେ ଧରାପଡ଼ିଥିଲା ହସିନାର ପୁଅ । ଏବେ କେନ୍ଦ୍ରୀୟ ଏଜେନ୍ସି ହସିନାର ପୁଅକୁ ପଚରାଉଚରା କରିବାବେଳେ ଦାଉଦର ଦ୍ବିତୀୟ ବିବାହ କଥା ସାମ୍ନାକୁ ଆସିଲା ।

ହସିନାର ପୁଅ ଅଲିଶାହାର କହିବା ଅନୁସାରେ, ମାମୁଁ ଦାଉଦ ଇବ୍ରାହିମ୍ ପାକିସ୍ତାନରେ ଦ୍ବିତୀୟ ବିବାହ କରିସାରିଛି । ତାର ଦ୍ବିତୀୟ ପତ୍ନୀ ପାକିସ୍ତାର ଏକ ପଠାନ୍ ପରିବାରର ହୋଇଥିବା ଜଣାପଡ଼ିଛି । ସେ ପ୍ରଥମ ପତ୍ନୀକୁ ତଲାକ୍ ଦେଇଥିବା ମଧ୍ୟ ଜଣାପଡ଼ିଛି । କିନ୍ତୁ ଏହି କଥାକୁ ଭଣଜା ମିଛ ବୋଲି କହିଛି ।

ଭଣଜା ଅଲିଶାହାର କହିବା ଅନୁସାରେ, ଦାଉଦ ଠିକଣା ପରିବର୍ତ୍ତନ କରିଦେଇଛି । ୨୦୨୨ରେ ଦୁବାଇରେ ପ୍ରଥମ ପତ୍ନୀ ସହ ଦାଉଦର ଦେଖା ହୋଇଥିଲା । ଏବଂ ଦାଉଦ ଦ୍ବିତୀୟ ବିବାହ କରିଛି ବୋଲି ପ୍ରଥମ ପତ୍ନୀଠୁ ହିଁ ଖବର ମିଳିଥିଲା । ଅଲିଶାହ ଏହା ମଧ୍ୟ କହିଥିଲା ଯେ, ଦାଉଦର ପ୍ରଥମ ପତ୍ନୀ ହ୍ବାଟସଆପ୍ କଲରେ ଭାରତରେ ଥିବା ସମ୍ପର୍କୀୟଙ୍କ ସହ କଥା ହୁଏ ।

NIA  ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହା ଦାଉଦର ଏକ ଚାଲ୍ ବି ହୋଇପାରେ । ପ୍ରଥମ ପତ୍ନୀ ଉପରୁ ଯାଞ୍ଚ ଏଜେନ୍ସିର ନଜର ହଟାଇବାକୁ ଏପରି କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ଏ ଘଟଣା କେତେ ସତ ତାହା ଜଣାପଡ଼ିନାହିଁ ।