ଭୂତଳ କୋଇଲା ଖଣିରେ ବାଲି ଫିଲିଂ ନହେବାରୁ ଘଟୁଛି ଅଘଟଣ, ଠା ଠା ଦବୁଛି ମାଟି

ଅନୁଗୁଳ: ବର୍ଷା ନ ଥାଇ ମାଟି ତଳୁ ବାହାରୁଛି ଝରଣା ଭଳି ପାଣି । ଯେଉଁ ସ୍ଥାନ ପୂର୍ବରୁ ଭୂତଳ କୋଇଲା ଖଣି ଥିଲା ସେଠାରୁ ଏବେ ଅନର୍ଗଳ ପାଣି ବାହାରିବାରେ ଲାଗିଛି । ଏଭଳି ସ୍ଥାନରୁ ପାଣି ବାହାରିବା ମାନେ ମାଟି ଧସିବାର ପୂର୍ବ ସଂକେତ । ଯେଉଁଥି ପାଇଁ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ମନରେ ଏକ ପ୍ରକାରର ଭୟ ଦେଖା ଦେଇଛି । ଭୟର କାରଣ ହେଉଛି ମାଟି ଭିତରୁ ପାଣି ବାହାରିଲେ ସେଠିକାର ମାଟି ଧସିପାରେ । ଭୂତଳ କୋଇଲା ଖଣିରେ ବାଲି ଭର୍ତ୍ତି କରାଯାଇନଥିବା ଯୋଗୁଁ ସେଠାରେ ପାଣି ବାହାରୁଛି ।

ଯେଉଁ ପରିମାଣରେ ପାଣି ବାହାରୁଛି ମାଟି ଅତଡା ଖସିବାର ସମ୍ଭାବନା ରହିଛି । ଯଦି ଦେଖିବା ୨୦୦୬ ମସିହାରେ ମଧ୍ୟ ଏଭଳି ସମାନ ଘଟଣା ଘଟିଥିଲା । ଆଉ କିଛି ଦିନ ପରେ ପାଣି ବହାରୁଥିବା ସ୍ଥାନରୁ ମାଟି ଧସିଥିଲା । ତେବେ ଆଜି ପୁଣି ସମାନ ଢଙ୍ଗରେ ପାଣି ବାହାରୁଥିବା ଯୋଗୁଁ ଲୋକଙ୍କ ମନରେ ଛନକା ପଶିଛି । ଆଉ ଏଥିପାଇଁ ଖଣି କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ବନ୍ଦ ହୋଇ ଯାଇଥିବା ଭୁତଳ କୋଇଲା ଖଣିରେ ପର୍ଯ୍ୟାପ୍ତ ପରିମାଣର ବାଲି ଭର୍ତ୍ତି କରିବାକୁ ନିର୍ଦେଶ ରହିଛି । ତେବେ ଖଣି ପକ୍ଷରୁ ଏହାକୁ ପାଳନ କରା ଯାଉ ନାହିଁ । ଅଳ୍ପ ଅଳ୍ପ ବାଲି ଭର୍ତ୍ତି କରି କାମ ତୁଲାଇ ଦେଉଛନ୍ତି ଖଣି କର୍ତ୍ତୃପକ୍ଷ । ଯାହା ଫଳରେ ଏଭଳି ସମସ୍ୟା ଦେଖା ଦେଇଥିବା ବେଳେ ଅନେକ ସମୟରେ ତାଳଚେର ଅଞ୍ଚଳରେ ମାଟି ଦବୁଛି । ମାଟି ଦବି ବହୁ ଘର ମଧ୍ୟ ନଷ୍ଟ ହୋଇଛି । ଏହାକୁ ନେଇ ଅନେକ ଥର ଅଭିଯୋଗ ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ ଚେତୁ ନାହାନ୍ତି ଖଣି ଅଧିକାରୀ । ସେପଟେ ଖଣି ଅଧିକାରୀ ବାଲି ସଠିକ ପରିମାଣରେ ଭର୍ତ୍ତି ନହେବାକୁ ପରୋକ୍ଷରେ ସ୍ୱିକାର କରିଛନ୍ତି ।  ତାଙ୍କ କହିବା କଥା ପର୍ଯ୍ୟାପ୍ତ ପରିମାଣର ବାଲି ମିଳୁ ନଥିବା ଯୋଗୁଁ ବାଲି ଭର୍ତ୍ତି ହୋଇପାରୁନାହିଁ । ତେବେ ଏଭଳି ଘଟଣା ପାଇଁ ଆତଙ୍କିତ ନ ହେବାକୁ ସେ କହିଛନ୍ତି ।

Leave a Reply