କଟକରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, କିଛି ଶ୍ରମିକ ଚାପି ହୋଇ ରହିଥିବା ସୂଚନା
କଟକ: କଟକରେ ବଡ଼ ଧରଣର ଦୁର୍ଘଟଣା । ଭୁଶୁଡିଲା ନିର୍ବାଣାଧୀନ ପୋଲ । ପୋଲର ଭଗ୍ନାବଶେଷ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁସାରେ କଟକ ମାତୃଭବନ ନିକଟରେ ଏକ ପୋଲ କାମ ଚାଲିଛି । ଆଜି ସକାଳେ ପୋଲଟି ହଠାତ ଭୁଶୁଡ଼ି ପଡିଥିଲା । ଦୁର୍ଘଟଣା ସ୍ଥଳରେ କିଛି ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ୱାଟକୋ ଡ୍ରେନେଜ ଡିଭିଜନ ଅଧୀନରେ ଏହି ପୋଲ ନିର୍ମାଣ ଚାଲିଥିଲା । ଦୁର୍ଘଟଣାରେ ଦୁଇ ଜଣ କାର୍ଯ୍ୟରତ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି । ଠିକା ସଂସ୍ଥା ନାଳନ୍ଦା ଅଧୀନରେ କାର୍ଯ୍ୟ କରୁଥିବା ବିଶ୍ୱାନ ଦୟାଲ କମ୍ପାନୀ କର୍ମଚାରୀଙ୍କ କହିବା ମୁତାବକ ପୋଲ ପାଇଁ ଆବଶ୍ୟକ ଲୁହା ସେଣ୍ଟ୍ରିଂ କରାଯାଇ ଆଜି ପୋଲ ଛାତ ପଡିଥିଲା । ଏଥିପାଇଁ ଡ୍ରେନ ପାଣିକୁ ମାଟି ବନ୍ଧ ଦେଇ ବନ୍ଦ କରାଯାଇଥିଲା । ମାଟି ବନ୍ଧ ଲିକ ହୋଇ ପାଣି ସେଣ୍ଟ୍ରିଂ ତଳକୁ ଆସିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ପୋଲ ଭୁଶୁଡିବା ନେଇ ଇଞ୍ଜିନିୟର ଓ ଶ୍ରମିକ ଜାଣିବା ପରେ ତୁରନ୍ତ ସାଇଡ ଖାଲି କରିଦେଇଥଲେ । ଡ୍ରେନରେ ପଡ଼ିଥିବା ଲୁହା ରଡ କାଟି ବାହାର କରାଯିବା ସହ ଭିତରେ ସଫା କରାଯାଉଛି । ଶୀଘ୍ର ପୋଲ ତିଆରି ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୮ ତାରିଖରେ କଟକ ବିଡ଼ାନାସୀରେ ସିଏମସି ପକ୍ଷରୁ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ଥିଲା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆଡତ ହୋଇଥିଲେ ।