‘ବାପୁ’ଙ୍କ ବାର୍ତ୍ତା ଶୁଣାଇବ ଅନୁଗୁଳ ବ୍ଲାକ ଡାଇମଣ୍ଡ

1 min read

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ହୁଲୁରିସିଂହାରେ ନିର୍ମାଣ ହେଉଛି ବ୍ଲାକ ଡାଇମଣ୍ଡ । ଯେଉଁଠି ଗୁଞ୍ଜରିତ ହେବ ବାପୁଙ୍କ ବାର୍ତ୍ତା । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୀବନୀ, ନୀତି, ଆଦର୍ଶ ସମ୍ପର୍କରେ ଅଧିକରୁ ଅଧିକ ଜାଣିବେ ଜଗତବାସୀ । ସ୍ଵାଧୀନତା ସଂଗ୍ରାମରେ ଏହି ମହାପୁରୁଷଙ୍କ ଅବିସ୍ମରଣୀୟ ଅବଦାନର ତଥ୍ୟ ରହିବ ଗାନ୍ଧୀ ପ୍ରକୋଷ୍ଠରେ । ମହାତ୍ମାଙ୍କ ଉପରେ ବିଶ୍ୱରେ ଲିଖିତ ବିଭିନ୍ନ ପୁସ୍ତକ ଏଠାରେ ପାଇପାରିବେ ପର୍ଯ୍ୟଟକ ।

ଅନୁଗୁଳର ଐତିହକୁ ଆଲୋକିତ କରିବାକୁ ଯାଉଥିବା ‘ବ୍ଲାକ ଡାଇମଣ୍ଡ’ ଗାନ୍ଧୀ ଗାଥାର ଏକ ଗନ୍ତାଘର ହେବ । ଏହାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସଂଗ୍ରହାଳୟ ଓ ବିଶ୍ୱସ୍ତରୀୟ ଲାଇବ୍ରେରି ଶୀଘ୍ର ଉଦ୍‌ଘାଟନ ହେବ ।

କୋଇଲା ଆକୃତିର ଏହି ଦୁଇ ମହିଳା ବିଶିଷ୍ଟ ବ୍ଲାକ ଡାଇମଣ୍ଡର ପ୍ରଥମ ମହଲାରେ ଥିବା  ସଂଗ୍ରହାଳୟରେ ଅନୁଗୁଳର କଳା, ସଂସ୍କୃତି, ସାହିତ୍ୟ ଓ ଐତିହକୁ ସାଇତି ରଖାଯିବ । ଅତୀତରେ ଅନୁଗୁଳର ବିଭିନ୍ନ ଗଡ଼ଜାତରେ ରାଜୁତି କରୁଥିବା ରାଜାଙ୍କ ପ୍ରତିମୂର୍ତ୍ତି ଏଥିରେ ସ୍ଥାନ ପାଇବ । ଅନୁଗୁଳର ମାଟି ତଳୁ ବାହାରିଥିବା ପ୍ରାଚୀନ ତାମ୍ର ଫଳକ, ବୁଦ୍ଧମୂର୍ତ୍ତି, ପ୍ରସ୍ତର ଯୁଗର ସାମଗ୍ରୀ, କାରୁକାର୍ଯ୍ୟ ଆଦିକୁ ରଖାଯାଇ ପ୍ରଦର୍ଶିତ କରାଯିବ । ରାଜା, ପାଇକଙ୍କ ଦ୍ବାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ବର୍ଚ୍ଛା, ୭ ପ୍ରକାରର ଖଣ୍ଡା, ଛୁରି, ଢାଲ, ତଲୱାଲ ଆଦି ରଖାଯିବ । ଅନୁଗୁଳ, ତାଳଚେର, ଆଠମଲ୍ଲିକ ଓ ପାଳଲହଡ଼ା ରାଜପ୍ରାସାଦର ବିଭିନ୍ନ ସାମଗ୍ରୀ, ପୋଷାକ ସଂଗ୍ରହାଳୟର ଶୋଭା ବଢ଼ାଇବା ସହ ଶିକ୍ଷା କ୍ଷେତ୍ରରେ ସହାୟକ ହୋଇପାରିବ । ଯାହାକି ଆଗାମୀ ପିଢ଼ି ପାଇଁ ଗର୍ବ ଓ ଗୌରବର ବିଷୟ ହେବ ।

ସେହିପରି ଅନୁଗୁଳରେ ବ୍ରିଟିଶ ଶାସନଠାରୁ ଆରମ୍ଭ କରି ସ୍ଵାଧୀନତା ସଂଗ୍ରାମ, ପ୍ରଜାମଣ୍ଡଳ ଆନ୍ଦୋଳନ ସମ୍ପର୍କରେ ତଥ୍ୟ ସାଇତି ରଖଯିବ । ଜିଲ୍ଲାର ବରପୁତ୍ରଙ୍କ ତୈଳଚିତ୍ରଠାରୁ ଆରମ୍ଭ କରି ବିଭିନ୍ନ ସମୟର ମୁଦ୍ରା, ପୋଥି, ଲୋକ ସଂସ୍କୃତି ସମ୍ବନ୍ଧିତ ବସ୍ତୁକୁ ସଂଗ୍ରହ କରାଯାଇ ପ୍ରଦର୍ଶିତ କରାଯିବ । ଅନୁଗୁଳର ପୁରାତନ କଳା ରାବଣଛାୟାକୁ ଏଠାରେ ସ୍ଵତନ୍ତ୍ର ସ୍ଥାନ ଦିଆଯିବ । ଜିଲ୍ଲାର ଟେରାକୋଟା, କଂସା, ଚାନ୍ଦୁଆ, ବାଉଁଶ, ବେତରେ ପ୍ରସ୍ତୁତ ସାମଗ୍ରୀ, ପଟ୍ଟଚିତ୍ର, ବାଲୁକା କଳା, ତାରକଣ୍ଡି, ପଥର ଖୋଦେଇ ସାମଗ୍ରୀ ସାଇତି ରଖାଯିବ । ଫଳରେ ପର୍ଯ୍ୟଟକ ଓ ସାଧାରଣ ଲୋକ ପ୍ରାଚୀନ କଳା, ସଂସ୍କୃତି ଓ ବିଜ୍ଞାନକୁ ନେଇ ଏକ ସ୍ପଷ୍ଟ ଧାରଣା ଏଠାରୁ ପାଇପାରିବେ ।

ଦ୍ଵିତୀୟ ମହଲାରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ରହିବ । ଏଠାରେ ଅନୁଗୁଳର ଇତିହାସ ସମ୍ପର୍କିତ କ୍ଷୁଦ୍ର ସିନେମା ପ୍ରଦର୍ଶିତ କରାଯିବ । ବିଶ୍ଵସ୍ତରୀୟ ପାଠାଗାର ରହିବ । ଯେଉଁଠି ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଛାତ୍ରୀଛାତ୍ରଙ୍କ ଜ୍ଞାନ ବୃଦ୍ଧି କରିପାରିବା । ଏହି ଇ-ଲାଇବ୍ରେରିରେ ଓଡ଼ିଆ, ଇଂଲିଶ, ହିନ୍ଦୀ, ସଂସ୍କୃତ ଓ ବିଭିନ୍ନ ଭାଷାରେ ଲିଖିତ ଲେଖକଙ୍କ ପୁସ୍ତକ ଉପଲବ୍ଧ ହେବ । ପୁରୁଣା ହେଉ କି ନୂଆ, ଡିଜିଟାଲ ବ୍ୟବସ୍ଥାରେ ଏହାକୁ ମାତ୍ର କେଇ ସେକେଣ୍ଡରେ ପାଇ ହେବ । ତେବେ ଜାତିର ପିତାଙ୍କ ଜୀବନ ଦର୍ଶନର ପ୍ରଦର୍ଶନ ନିମନ୍ତେ ଏକ ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା ହୋଇଛି । ଅନୁଗୁଳ ଜିଲ୍ଲାକୁ ଗାନ୍ଧୀଙ୍କ ଆଗମନ ଓ ତାଙ୍କ ନୀତି ଆଦର୍ଶ ଆଧାରିତ ପୁସ୍ତକ ଏଠାରେ ରଖାଯିବ । ଏଥିସହ ସୂଚନା ଆଧାରିତ ଫଟୋଚିତ୍ର ଲଗାଯାଇ ପର୍ଯ୍ୟଟକଙ୍କ ବୁଝିବାକୁ ଅଧିକ ସହଜ କରିଦିଆଯିବ । ଏଠାରେ ପିଲାଙ୍କ ପାଇଁ କିଡ୍ସ ଜୋନ୍, ମ୍ୟୁଜିୟମ୍ ଡିସପପ୍ଲେ ଜୋନ୍, କ୍ୟାପିଟ ଏରିଆ ଆଦିର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।