ଅଣାୟତ୍ତ ଡାଇରିଆ ,ଅବ୍ୟବସ୍ଥାକୁ ନେଇ ବଢୁଛି ଅସନ୍ତୋଷ
1 min read
ରାଜ୍ୟରେ ଅଣାୟତ୍ତ ଡାଇରିଆ । କଲେରା ମାମଲା ବି ବଢିବାରେ ଲାଗିଛି । ୧୦ ଜିଲ୍ଲା ପ୍ରଭାବିତ ହେଲାଣି । ହେଲେ ସରକାର ଏବେ ବି ୫ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଥିବା ନେଇ ରିପୋର୍ଟ କରୁଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ହଇଜା ସ୍ଥିତି ନେଇ ଯେଉଁ ସମୀକ୍ଷା କରିଛନ୍ତି, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଲାଣି । ଯଦି ମାତ୍ର ପାଞ୍ଚ ଜିଲ୍ଲା ପ୍ରଭାବିତ ହୋଇଛି, ସାରା ରାଜ୍ୟରେ କାହିଁକି ଆଲର୍ଟ ଜାରି କରାଗଲା । ସେପଟେ ଆଜି ବାଲେଶ୍ବର ଜିଲ୍ଲା ସିମୁଳିଆକୁ ବି ଝାଡ଼ବାନ୍ତି ବ୍ୟାପିଲା । ହେଲେ ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।
ସରକାର ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି ଡାଇରିଆ ଓ କଲେରାର ଅସଲ ତଥ୍ୟ ପଦାରେ ପଡ଼ିଯାଉଛି । ୧୦ ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଆଜି ହଇଜାର ସ୍ଥିତି ନେଇ ମାତ୍ର ପାଞ୍ଚ ଜିଲ୍ଲାପାଳଙ୍କ ସହ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଏହାପରେ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ଯଦି ସରକାର ପାଞ୍ଚ ଜିଲ୍ଲାରେ ହଇଜା ନେଇ ରିପୋର୍ଟ କରି ଜିଲ୍ଲାପାଳଙ୍କ ସହ ସମୀକ୍ଷା କଲେ, ତେବେ ସାରା ରାଜ୍ୟକୁ ଆଲର୍ଟରେ ରଖିଥିବାରୁ ପ୍ରଶ୍ନ ଉଠିଛି । କେଉଁଠି ନା କେଉଁଠି ସରକାର ଅନ୍ୟ ଜିଲ୍ଲାର ତଥ୍ୟକୁ ଲୁଚାଉଥିବାରୁ ସନ୍ଦେହ ବି ଉପୁଜିଛି । ସେପଟେ ଯେଉଁ ଜଳ ଉତ୍ସରୁ ହଇଜା ବ୍ୟାପିଛି, ତାକୁ ଏଯାଏଁ ଚିହ୍ନଟ କରି ପାରି ନାହାନ୍ତି ରାଜ୍ୟ ସରକାର । ପରୀକ୍ଷା ହେଉଥିବା ନମୁନାରୁ ୧୦ ପ୍ରତିଶତ କଲେରା ପଜିଟିଭ ବାହାରୁଛି । ଯାହା କଲେରାର ମାରାତ୍ମକ ବୀଜାଣୁ ଭିବ୍ରିଓ କଲେରି ବୋଲି ସ୍ପଷ୍ଟ ହୋଇଛି । ଏଥିରେ ଯାଜପୁରର ୫ ଜଣଙ୍କ ମୃତ୍ୟୁ ବି ହୋଇଥିବା ସରକାର ସ୍ବୀକାର କରିଛନ୍ତି । ଆସନ୍ତା ୭ ଦିନ ଯାଏଁ ଲୋକଙ୍କୁ ସଚେତନ କରିବାକୁ ଗାଁ ଗାଁରେ ମାଇକ ଯୋଗେ ପ୍ରଚାର କାର୍ଯ୍ୟ ଜାରି ରହିବ ।
ଆଜି ଯାଜପୁର ଜିଲ୍ଲାରେ ପୁଣି ଥରେ ସ୍ଥିତିର ସମୀକ୍ଷା କରିଛି କେନ୍ଦ୍ରୀୟ ପ୍ରତିନିଧି ଦଳ। ରୋଗୀ ବଢିବା ସହ ମୃତ୍ୟୁ ସଂଖ୍ୟା ବି ୧୬କୁ ବୃଦ୍ଧି ପାଇଲାଣି । ଦାନଗଦି ଅଞ୍ଚଳରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରୀ, ବିଂଝାରପୁର, ଦଶରଥପୁର, ଧର୍ମଶାଳା ଆଦି ତହସିଲରେ ଦୁଇ ସପ୍ତାହ ପାଇଁ ସମସ୍ତ ଫାଷ୍ଟଫୁଡ, ଗୁପଚୁପ, ଚାଟ, ଆଇସକ୍ରିମ, ପାଣି ପାଉଚ, ମାଛ, ଚିକେନ ଓ ମଟନ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଶାସନ ହୋଟେଲ ଉପରେ ଚଢାଉ ଜାରି ରଖିଛି । ଜନସାଧାରଣଙ୍କୁ ବିବାହ ଭୋଜି ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନରେ ଖାଦ୍ୟ ଗ୍ରହଣ ନକରିବାକୁ ପରାମର୍ଶ ଦେଇଛି । ଦଶମ ଜିଲ୍ଲା ଭାବେ ଆଜି ବାଲେଶ୍ବରକୁ ବ୍ୟାପିଛି ଝାଡ଼ାବାନ୍ତି । ଗତ ଦୁଇ ଦିନରେ ସିମୁଳିଆ ବ୍ଲକର ମାର୍କୋଣା, ଶ୍ୟାମସୁନ୍ଦରପୁର, କୁଆଁରପୁର, ମଇତାପୁର, ବରି ପରି ଗାଁରୁ ୩୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସିମୁଳିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଅନ୍ୟପଟେ ମେଡିକାଲରେ ଆବଶ୍ୟକ ବେଡ ନଥିବାରୁ ଆକ୍ରାନ୍ତ କେଉଁ ସ୍ଥାନରେ ରହିବେ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଞ୍ଚଳବାସୀ।
ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସାଲେପୁର ମେଡିକାଲରୁ ଗତକାଲି କଟକ ସ୍ଥାନାନ୍ତରିତ ହୋଇଥିବା ଜନାର୍ଦ୍ଦନପୁର ଗାଁର ସାବିତ୍ରୀ ସ୍ବାଇଁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଧାମନଗରରୁ ଆଜି ବି ନୂଆ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ସୁଧା କେନ୍ଦୁଝର ଜିଲ୍ଲାରେ ୨୦୦ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବେ ୬୦ଜଣ ଆକ୍ରାନ୍ତ ଅଛନ୍ତି । ଆନନ୍ଦପୁର ଡାକ୍ତରଖାନାରେ ୨୭ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ସାଇଙ୍କୁଳ ଡାକ୍ତରଖାନାରେ ୧୦ଜଣ ଚିକିତ୍ସିତ ହେଉଛନ୍ତି। କଟକ ଜିଲ୍ଲାର ବାଙ୍କୀରେ ହଇଜା ସଂକ୍ରମଣ ସଂଖ୍ୟା ୪୬ ରହିଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଟାଙ୍ଗୀରେ ୧୮ ଜଣ ସଂକ୍ରମିତ ଅଛନ୍ତି । ଟାଙ୍ଗୀରେ ଯେଉଁ ରୋଗୀଙ୍କ ମୃତ୍ୟୁ ହୋଇଛି, ତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।ବିଭିନ୍ନ ସ୍ଥାନରେ ସଠିକ୍ ଚିକିତ୍ସା ସେବା ନ ପାଇବାରୁ ସୁସ୍ଥ ହେବା ପୂର୍ବରୁ ରୋଗୀ ହସ୍ପିଟାଲ ଛାଡ଼ି ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମେଡିକାଲ ଟିମମାନଙ୍କୁ ସଜାଗ ରହିବାର ଆବଶ୍ୟକତା ରହିଛି ।