ମାଆ ସହ ଦାଦାଙ୍କ ମଜା ସହି ପାରିଲାନି ୧୧ ବର୍ଷର ପୁଅ, ଲଗାଇ ଦେଲା ରଶି

କାନପୁର: ଉତ୍ତରପ୍ରଦେଶର କାନପୁରରେ ଜଣେ ୫ମ ଶ୍ରେଣୀ ଛାତ୍ର ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କାରଣ, ସାହି ମହିଳାଙ୍କ ଆଗରେ ତା’ ମାଆଙ୍କ ସହ ଜଣେ ସମ୍ପର୍କୀୟ ଦାଦା ଥଟ୍ଟାମଜା କରିଥିଲେ । ଯାହା ତାକୁ ଗଭୀର ଆଘାତ ଦେଇଥିଲା । ସେହିଠାରେ ହିଁ ସେ ତା’ ମାଆକୁ ପଚାରିଥିଲା କାହିଁକି ସେ ମଜା କଲେ ଓ କାନ୍ଦିବାକୁ ଲାଗିଥିଲା । ଯେତେ ବୁଝାଇଲେ ବି ସେ ବୁଝି ନଥିଲା ଓ ଘରକୁ ଯାଇ ରଶି ଲଗାଇ ଦେଇଥିଲା ।

ସୂଚନା ଅନୁସାରେ, କାନପୁରର ସଚିଣ୍ଡି ଅଞ୍ଚଳର ଭୌତି ଅଞ୍ଚଳର ପ୍ରତାପପୁର ନଗର ରହିଛି । ସେଠାରେ ରାଧେଶ୍ୟାମ ପରିବାର ସହ ରୁହନ୍ତି । ତାଙ୍କର ତିନି ପୁଅ । ମଝିଆ ପୁଅ ୫ମ ଶ୍ରେଣୀରେ ପଢ଼େ । ବୟସ ପ୍ରାୟ ୧୧ ବର୍ଷ ହେବ । ତା’ ଦୁନିଆ ତା’ ମାଆକୁ ନେଇ । ସେ ତା’ ମାଆକୁ ଏତେ ଭଲ ପାଏ ଯେ, ତାଙ୍କୁ ଛାଡି କୁଆଡେ ଯାଏନାହିଁ । ସବୁବେଳେ ମାଆ ପାଖେ ପାଖେ ଥାଏ । ଯଦି କେହି ତା’ ମାଆ ଉପରେ ରାଗିଯାଏ ଏହାକୁ ସେ ସହଜରେ ଗ୍ରହଣ କରିପାରି ନଥାଏ ।

ଶୁକ୍ରବାର ଦିନ ପିଲାଟିର ମାଆ ସାହିର ମହିଳାଙ୍କ ସହ ବସିଥିଲେ । ଏହି ସମୟରେ ସାହିର ଜଣେ ଯୁବକ, ଯିଏ ମହିଳାଙ୍କ ସମ୍ପର୍କରେ ଦିଅର ହେବେ କିଛି ମଜା କରି ଦେଇଥିଲେ । ସମସ୍ତଙ୍କ ଆଗରେ ଏମିତି ମଜା କରିବା ପିଲାଟିକୁ ଭଲ ଲାଗି ନଥିଲା । ସେହିଠାରେ ହିଁ ସେ ତା’ ମାଆ ସହ ଝଗଡ଼ା ଆରମ୍ଭ କରି ଦେଇଥିଲା ଓ ପଚାରି ଥିଲା ସେ ତୁମ ସହ କାହିଁକି ମଜା କଲା ।

ମହିଳା ଜଣଙ୍କୁ ତାକୁ ବୁଝାଇଥିଲେ ଯେ, ସେ ଦିଅର ହେବେ ସେଥିପାଇଁ ମଜା କରିଦେଲେ । ଭାଉଜ ଓ ଦିଅର ସମ୍ପର୍କରେ ଏମିତି ଥଟ୍ଟାମଜା ହୋଇଥାଏ । ହେଲେ ପିଲାଟି ଶାନ୍ତ ହୋଇ ନଥିଲା । ଏପରିକି ପିଲାଟିର ପିଉସୀ ବି ତାକୁ ବୁଝାଇଥିଲେ ।

ଏହାପରେ ପିଲାଟି ଘରକୁ ପଳାଇ ଆସିଥିଲା । ହେଲେ ମାଆ ସହ ଏମିତି ମଜା ତାକୁ ଗଭୀର ଆଘାତ ଦେଇଥିଲା । ଘରେ ପହଞ୍ଚିବା ପରେ ବି ସେ କାନ୍ଦିବାକୁ ଲାଗିଥିଲା । ପରିବାର ଲୋକେ ବୁଝାଇବା ପରେ ସେ ଶାନ୍ତ ହୋଇ ଯାଇଥିଲା । ଏହାପରେ ତା’ ମାଆ ବଜାର ପରିବା କିଣିବାକୁ ଯିବାକୁ ଡାକିଥିଲେ । ହେଲେ ସେ ମାଆ ସହ ନଯାଇ ଘରେ ଖେଳିବ ବୋଲି କହିଥିଲା । ମାଆ ବଜାର ଚାଲିଯିବାର କିଛି ସମୟ ପରେ ସେ ଭିତର ପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଦେଇଥିଲା । ପିଲାର ପିଉସୀ ଏହା ଦେଖି ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ । ହେଲେ ସେତେବେଳକୁ ପିଲାଟିର ମୃତ୍ୟୁ ଘଟି ଚାଲିଥିଲା ।