ଭୁବନେଶ୍ୱର: ବାଟବଣା ବିଏମସିର ଭିକାରୀ ମୁକ୍ତ ଅଭିଯାନ। ଥଇଥାନ କେନ୍ଦ୍ରରୁ ଫେରି ପୁଣି ଆପଣାଉଛନ୍ତି ଭିକ୍ଷାବୃତ୍ତି। ପରିଚାଳନା ଗତ ତ୍ରୁଟିକୁ ଦାୟୀ କଲେ ବୁଦ୍ଧିଜୀବୀ। ରାସ୍ତା କଡ଼ରୁ, ପ୍ରମୁଖ ଛକ ଏପରିକି ଧାର୍ମିକ ଅନୁଷ୍ଠାନ ନିକଟରୁ ଭିକ୍ଷୁକଙ୍କୁ ହଟାଇ ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ମୁକ୍ତ ସହର ଗଢିତୋଳିବାକୁ ସ୍ୱପ୍ନ ଦେଖିଛି ବିଏମସି। ଭିକ୍ଷୁକଙ୍କୁ ଚିହ୍ନଟ କରି ଉଦ୍ଧାର କରିବା ଓ ସେମାନଙ୍କୁ ଆଶ୍ରୟ କେନ୍ଦ୍ରରେ ଥଇଥାନ କରିବା ପାଇଁ ୩ଟି NGOଙ୍କୁ ନିୟୋଜିତ କରାଯାଇଛି। ତେବେ ଅଭିଯାନ ଆରମ୍ଭ ହେବାର ମାସକ ପରେ ଏହା ବାଟବଣା ହୋଇଥିବା ପରିଲକ୍ଷିତ ହୋଇଛି। ଥଇଥାନ କେନ୍ଦ୍ରରୁ ବିଭିନ୍ନ କାରଣରୁ ଫେରି ଆସି ପୁଣି ଭିକ୍ଷାବୃତ୍ତି କରୁଛନ୍ତି ଅନ୍ତେବାସୀ।
ଭିକ୍ଷାବୃତି ଦ୍ଵାରା ଉଭୟ ସମାଜ ଓ ପରିବେଶ ପ୍ରଭାବିତ ହୋଇଥାଏ। ତେବେ ବଳ ପୂର୍ବକ ନୁହେଁ ବରଂ ବୁଝାସୁଝା କରି ସେମାନଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣପାରିଲେ ଏହି ଅଭିଯାନ ସଫଳ ହୋଇପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ।
ଭିକ୍ଷୁକଙ୍କୁ ଉଦ୍ଧାର କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସ୍ଵତନ୍ତ୍ର ତାଲିମ ଦିଆଯାଇଛି। ଏହାସତ୍ତ୍ୱେ ଅନ୍ତେବାସୀମାନେ ବାହାରି ପୁଣି ଭିକ୍ଷାବୃତ୍ତି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର।
ଅନ୍ୟର ହାତଟେକା ଦାନରୁ ଖର୍ଚ୍ଚ ଭରଣା କରୁଥିବା ଭିକ୍ଷୁକଙ୍କୁ ଆଶ୍ରୟ କେନ୍ଦ୍ରରେ ହାତଖର୍ଚ୍ଚ ଅର୍ଥ ନମିଳିବା ଅଭିଯାନ ଫେଲ ମାରିବାର ମୁଖ୍ୟ କାରଣ ବୋଲି ଜଣାପଡିଛି ।

