ଜୁନରେ ଜଳୁଛି ଓଡ଼ିଶା, ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି

1 min read

ଭୁବନେଶ୍ବର: ଅସହ୍ୟ ଗୁଳୁଗୁଳିକୁ ଅସମ୍ଭାଳ ତାତି । ପଶ୍ଚିମରୁ ଉପକୂଳରେ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଗରମ ଶୁଷ୍କ ପବନ ସହ ଟାଣ ଖରା ପାଇଁ ରାଜ୍ୟରେ ଜାରି ରହିବ ଏଭଳି ସ୍ଥିତି । ସେପଟେ ଆରବ ସାଗର, ପ୍ରଶାନ୍ତ ମହାସାଗର ଓ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସିଷ୍ଟମଗୁଡିକ ସମାନ୍ତରାଳ ଭାବରେ ରହିଥିବାରୁ ବାଟବଣା ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୧୫ ପୂର୍ବରୁ ଓଡ଼ିଶା ଛୁଇଁବା ସମ୍ଭାବନା ନାହିଁ । ୧୬ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆଣିପାରେ ଆଶ୍ବସ୍ତି ।

ଭୁବନେଶ୍ବରରେ ୩୭.୨ ଡିଗ୍ରୀ ତାପମାତ୍ରା । ଉପର ମୁହାଁ ହିଟ୍ ଇଣ୍ଡେକ୍ସ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଶାନ୍ତି କରିପାରିବନି କାଳବୈଶାଖୀ । କାଲି ୮ ଜିଲ୍ଲାକୁ ହିଟ୍ଓ୍ବେଭ୍ ଆଲର୍ଟ । ସାରା ରାଜ୍ୟରେ ଏବେ ରାଜ କରୁଛି ତାତି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ଥିବା ବେଳେ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ବରଗଡ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ସୁଦୃଶ ଲଘୁଚାପ କ୍ଷେତ୍ର ରହିଥିବାବେଳେ ଆରବସାଗରରେ ଅତିଭୀଷଣ ବାତ୍ୟା ବିପର୍ଯ୍ୟୟ ଓ ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଗୁଚୋଲ ଏକ ସମାନ୍ତରାଳରେ ରହିଛି । ବଙ୍ଗୋପସାଗର ଲଘୁଚାପ ଯୋଗୁଁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ବାୟୁ କେନ୍ଦ୍ରୀୟ ଭାରତ ଓ ଓଡ଼ିଶା ହୋଇ ବଙ୍ଗୋପସାଗରକୁ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟରେ ହିଟଓ୍ବେଭ ଜାରି ରହିଛି । ସିଷ୍ଟମ ଗୁଡିକର ପ୍ରଭାବ ଓଡ଼ିଶାରେ ପଡୁ ନଥିବାରୁ ଏହା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଗୋଳମାଳ କରାଉଛି । ତେଣୁ ଆସନ୍ତା ୧୫ ତାରିଖ ଅର୍ଥାତ ରଜ ମଧ୍ୟରେ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ନାହିଁ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ୧୬ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା କିଛି ସମୟ ପାଇଁ ଆଶ୍ୱସ୍ତି ଆଣୁଥିଲେ ମଧ୍ୟ ତାତି ଜାରି ରହିବ । ବିଶେଷ କରି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡିକରେ ଘଡଘଡି ବିଜୁଳି ସହ ବର୍ଷା ଏବଂ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ନେଇ ସତର୍କତା ଜାରି କରାଯାଇଛି ।