କୁଆଡେ ଗଲା ଶିଶୁ ? ଆକାଶରେ ହଜିଗଲା ନା କିଏ ଗାଏବ କରିଦେଲା ?

1 min read

ନନ୍ଦିଘୋଷ ବ୍ୟୁରୋ :   ଫ୍ରାନ୍ସ ଡଙ୍କି ଫ୍ଲାଇଟ ଘଟଣାରେ ଘଟିଛି ଏକ ଅଦ୍ଭୁତ ଘଟଣା । ଗୁଜରାଟର ଜଣେ ଦୁଇ ବର୍ଷର ଶିଶୁ ଫ୍ଲାଇଟରୁ କେଉଁଆଡେ ଗାଏବ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଶିଶୁଟି ଫ୍ଲାଇଟରେ ଏକା ଏକା ଯାତ୍ରା କରିଥିଲା । ତାର କେହି ଅଭିଭାବକ ନଥିବା ନେଇ ସୂଚନା ରହିଛି । ଭାରତ ଫେରିଥିବା ତାଲିକାରେ ଶିଶୁଟିର ନାମ ଥିଲା । ହେଲେ ଏବେ ସେହି ଶିଶୁଟିର କିଛି ପତ୍ତା ମିଳୁନି । ଗୁଜରାଟ ପୋଲିସ ତଦନ୍ତ କରୁଛି ।

ପ୍ରଥମେ ଶିଶୁଟିର ବାପା-ମା କିମ୍ବା ଅଭିଭାବକଙ୍କୁ ଖୋଜି ବାହାର କରିବାକୁ ପୋଲିସ ଉଦ୍ୟମ କରୁଛି । ସେହିପରି ମାନବ ଚାଲାଣ ରାକେଟ ସହ ଲିଙ୍କ ନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଛି । ଡିସେମ୍ବର ୨୧ ତାରିଖରେ ଫ୍ରାନ୍ସରେ ବେଟ୍ରି ଏୟାରପୋର୍ଟରେ ୩୦୩ ଜଣ ଯାତ୍ରୀଙ୍କୁ ମାନବ ଚାଲାଣ ସନ୍ଦେହରେ ଅଟକ ରଖାଯାଇଥିଲା । ଯେଉଁଥିରେ ୯୬ ଜଣ ଯାତ୍ରୀ ଗୁଜୁରାଟର ଥିଲେ । ତେବେ ଅଦାଲତଙ୍କ ନିର୍ଦ୍ଦେଶ ପରେ ସମସ୍ତଙ୍କୁ ୨୪ ଡିସେମ୍ବରରେ ମୁକ୍ତ କରିଦିଆଯାଇଥିଲା । ସମସ୍ତ ଯାତ୍ରୀ ଭାରତ ଫେରିଥିଲେ । ହେଲେ ତାଲିକାରେ ଥିବା ଏହି ଶିଶୁଟିର ନାମ ଥାଇ ସୁଦ୍ଧା ତାର କିଛି ପତ୍ତା ମିଳୁନଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ଆମେରିକା-କାନାଡା ବର୍ଡରରେ ଅନେକ ଶିଶୁଙ୍କୁ ବେସାହାରା ଭାବେ ଛାଡିଦିଆଯାଉଥିବାରୁ ଏହି ଶିଶୁଟି ରହିଯାଇଥିବା ସନ୍ଦେହ କରାଯାଉଛି । ଏପରି କାରନାମା କେବଳ ମାନବ ଚାଲାଣ ରାକେଟର କାମ ହୋଇଥିବାରୁ ଶିଶୁକୁ କୌଣସି ରାକେଟ ନେଇ ଯାଇ ଆମେରିକା-କାନାଡା ବର୍ଡରରେ ଛାଡି ଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି ।