ଋଷ-ୟୁକ୍ରେନ ଯୁଦ୍ଧରେ ପଡ଼ିପାରେ ଯବନିକା, ମଙ୍ଗଳବାର ଆଣ୍ଟୋନିଓ-ପୁଟିନ ଭେଟଘାଟ

1 min read

କିଭ୍: ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ପଦକ୍ଷେପ ନେବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଆସନ୍ତା ମଙ୍ଗଳବାର ସେ ମସ୍କୋ ଗସ୍ତ କରି ଯୁଦ୍ଧରେ ଯବନିକା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ। ପରେ ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ହାତବାନ୍ଧି ବସିଥିବା ଜାତିସଂଘ ମହାସଚିବ ବ୍ୟକ୍ତିଗତ ସ୍ତରରେ ଆଲୋଚନା ଲାଗି ଉଦ୍ୟମ କରିଛନ୍ତି । ଗସ୍ତ ନେଇ ଜାତିସଂଘ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯୁଦ୍ଧ ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଆମେରିକା, ଫ୍ରାନ୍ସ, ବ୍ରିଟେନ, ଚୀନ ଓ ଋଷ ମଧ୍ୟରେ ସମ୍ପର୍କରେ ଫାଟ ଯୋଗୁ ଜାତିସଂଘ ସମସ୍ୟାରେ ପଡ଼ିଛି । ଏପରିକି ଆକ୍ରମଣକୁ ଚୀନ ନିନ୍ଦା କରି ନଥିବା ବେଳେ ଋଷ ପାଶ୍ଚାତ୍ୟ ରାଷ୍ଟ୍ର ଚକ୍ରାନ୍ତର ଶିକାର ହୋଇଛି ବୋଲି କହିଆସିଛି ଚୀନ । ଗତ ମାର୍ଚ୍ଚ ୨୬ରେ ଶେଷ ଥର ଲାଗି ଗୁଟେରସ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ ।

ସେପଟେ ଜେଲେନସ୍କି କହିଛନ୍ତି, ୟୁକ୍ରେନ ଉପରେ ଋଷର ଆକ୍ରମଣ ଏଇମାତ୍ର ଆରମ୍ଭ ହୋଇଛି ଏବଂ ସାରା ୟୁକ୍ରେନକୁ କବଜା କରିବା ଲାଗି ଋଷ ଯୋଜନା କରିଛି । ଏହା ସହ ୟୁକ୍ରେନକୁ ସହାୟତା ଲାଗି ପୁଣି ଥରେ ବିଭିନ୍ନ ରାଷ୍ଟ୍ରକୁ ଅନୁରୋଧ କରିଛନ୍ତି ଜେଲେନସ୍କି । ବର୍ତ୍ତମାନ ୟୁକ୍ରେନର ପ୍ରାୟ ସମସ୍ତ ଉପକୂଳ ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ଋଷ । ସେପଟେ ମସ୍କୋ ବି କହିଛି, ସାମ୍ରାଜ୍ୟବାଦୀ ଶକ୍ତିଙ୍କଠାରୁ ପୂର୍ବ ଓ ଦକ୍ଷିଣାଞ୍ଚଳ ୟୁକ୍ରେନକୁ ମୁକ୍ତ କରିବା ଲାଗି ଋଷ ଅଭିଯାନ ଜାରି ରଖିଛି । କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି, ଦକ୍ଷିଣ ୟୁକ୍ରେନର ରାଜନୈତିକ ଭବିଷ୍ୟତକୁ ଋଷ ଗୁରୁତ୍ବ ଦେଉଛି ।

ଅନ୍ୟପଟେ ୟୁକ୍ରେନକୁ ଭାରୀ ସାମରିକ ଅସ୍ତ୍ର ପ୍ରଦାନ କରିବା ଲାଗି ଘୋଷଣା କରିଛି କାନାଡ଼ା । ସେହିପରି ଯୁଦ୍ଧକୁ ନେଇ ଆସୁଛି ୟୁକ୍ରେନବାସୀଙ୍କ ଦୟନୀୟତାର ଚିତ୍ର । ବିଭିନ୍ନ ମାରାତ୍ମକ ରୋଗରେ ସଢୁଥିବା ଲୋକଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି । ହୃଦରୋଗ, ମଧୁମେହ, କର୍କଟ ରୋଗରେ ହଜାର ହଜାର ଲୋକ ଜୀବନ ମରଣ ସମସ୍ୟାରେ ଛଟପଟ ହେଉଥିବା ସୂଚନା ମିଳିଛି । କୌଣସି ସ୍ଥାନରେ ସ୍ବାସ୍ଥ୍ୟସେବା ମିଳୁ ନଥିବାରୁ, ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି ।