ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର କରୁ ଋଷ, ମିଳିତ ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ପ୍ରସ୍ତାବ ଗୃହିତ

ନୂଆଦିଲ୍ଲୀ: ଯୁଦ୍ଧ ବନ୍ଦ କରୁ ଋଷ । ତୁରନ୍ତ ୟୁକ୍ରେନରୁ ନିଜ ସୈନ୍ୟ ପ୍ରତ୍ୟାହାର କରୁ । ଏହି ଦାବିରେ ମିଳିତ ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଅନୁଷ୍ଠିତ ଭୋଟରେ ଭୋଟଦାନରୁ ବିରତ ରହିଛି ଭାରତ । ୧୯୩ ସଦସ୍ୟବିଶିଷ୍ଟ ସାଧାରଣ ଆସେମ୍ବ୍ଲିରେ ଅନୁଷ୍ଠିତ ଭୋଟରେ ଯୁଦ୍ଧ ବନ୍ଦ କରିବା ସପକ୍ଷରେ ୧୪୧ ରାଷ୍ଟ୍ର ଭୋଟ ଦେଇଥିବାବେଳେ ୭ ରାଷ୍ଟ୍ର ବିରୋଧ କରିଥିଲେ । ଭାରତ ଓ ଚୀନ ସମେତ ୩୨ ରାଷ୍ଟ୍ର ଭୋଟ ଦାନରୁ ବିରତ ରହିଥିଲେ । ପୂର୍ବରୁ ଋଷ ବିରୋଧରେ ଆଗତ ବହୁ ପ୍ରସ୍ତାବ ନେଇ ଅନୁଷ୍ଠିତ ଭୋଟରେ ଭୋଟଦାନରୁ ବିରତ ରହିଥିଲା ଭାରତ ।
ଯୁଦ୍ଧର ଅବସାନ ଘଟାଇବା ଲାଗି କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରଖିଛି ଭାରତ । ଗତକାଲି ଗୃହିତ ପ୍ରସ୍ତାବରେ ଯୁଦ୍ଧ ବନ୍ଦ କରିବା ଲାଗି କୂଟନୈତିକ ସ୍ତରରେ ଉଦ୍ୟମ ଅଧିକ କରିବାକୁ ବିଭିନ୍ନ ସଦସ୍ୟ ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଂଗଠନକୁ ଆହ୍ବାନ ଦେଇଥିଲା ସାଧାରଣ ଆସେମ୍ବ୍ଲି ।