ମସ୍କୋ ପରେ ୟୁକ୍ରେନରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍

1 min read

କିଭ୍: ୟୁକ୍ରେନରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ । ମସ୍କୋ ପରେ କିଭ୍ ଗସ୍ତ କରିଛନ୍ତି ଗୁଟେରସ୍ । ଗୁଟେରସ୍ ଦୁଇ ଦିନିଆ  ଋଷ ଗସ୍ତ କରି ବୈଦେଶିକ ମନ୍ତ୍ରୀ ଲାବରଭ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଯୁଦ୍ଧବିରତି ନେଇ ଆଲୋଚନା କରିଥିଲେ । ମାରିୟୁପୋଲର ଆଜୋଭଷ୍ଟଲ ଷ୍ଟିଲ ପ୍ଲାଣ୍ଟରେ ରହିଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ ପୁଟିନ ସହମତି ପ୍ରକାଶ କରିଛନ୍ତି । ଆଜି କିଭରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟି ଆଲୋଚନା କରିବେ । ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ସହ ମାନବୀୟ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଆଲୋଚନା ଜାରି ରଖିଛୁ ବୋଲି ଗୁଟେରସ୍ ଟ୍ବିଟ କରି କହିଛନ୍ତି ।

ଗୁଟେରସଙ୍କ ଟିମ୍ ପୋଲାଣ୍ଡ ଦେଇ କିଭରେ ପହଞ୍ଚିଛନ୍ତି । ଜାତିସଂଘ ଓ ରେଡକ୍ରସ ପକ୍ଷରୁ ୟୁକ୍ରେନରେ ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ କରାଯାଉଥିବା ବ୍ୟବସ୍ଥାକୁ ପୁଟିନ୍ ସ୍ବାଗତ କରିଛନ୍ତି । ସେପଟେ ଖେରସନ ସହରକୁ କବଜା କରିଛନ୍ତି ଋଷ ସୈନ୍ୟ । ଋଷ ସେନା ଏକ ଜେଲ ଶିବିର ପ୍ରସ୍ତୁତ କରିଥିବା ବେଳେ ସେଠାରେ ୟୁକ୍ରେନ କାର୍ଯ୍ୟକର୍ତ୍ତା ଓ ସୈନିକଙ୍କୁ ବନ୍ଧକ ରଖିଛି । ସେଠାରେ ଲୋକଙ୍କୁ ମାରପିଟ କରାଯିବା ସହ ନିର୍ଯାତନା ଦିଆଯାଉଥିବା ସୂଚନା ଦେଇଛି ୟୁକ୍ରେନର ପ୍ରତିରକ୍ଷା ଗୁଇନ୍ଦା । ୨୪ ମାର୍ଚ୍ଚରୁ ଖେରସନରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଲୋକମାନେ ଏବେବି ବେସମେଣ୍ଟ ଓ ବମ୍ ସେଲଟର ଭିତରେ ଆଶ୍ରୟ ନେଇଛନ୍ତି ।