ଖେରସନରୁ ହଟିଲା ଋଷ ସୈନ୍ୟ, ୟୁକ୍ରେନରେ ଗ୍ରାଣ୍ଡ ସେଲିବ୍ରେସନ

1 min read

କିଭ୍‌: ଖେରସନରୁ ଋଷ ସୈନ୍ୟ ହଟିବା ପରେ ୟୁକ୍ରେନରେ ସେଲିବ୍ରେସନ। ପ୍ରାୟ ୯ ମାସ ପରେ ବନ୍ଦର ନଗରୀରୁ ସୈନ୍ୟ ପ୍ରତ୍ୟାହାରକୁ ନେଇ ଖୁସି ମନାଇଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ସାରା ସହରକୁ ବର୍ତ୍ତମାନ ୟୁକ୍ରେନ ସୈନ୍ୟ ନିଜ କବଜାକୁ ଆଣୁଥିବା ସୂଚନା ମିଳିଛି। ଦିନିପ୍ରୋ ନଦୀ ତଟ ଦେଶରେ ମୁତୟନ ଥିବା ପ୍ରାୟ ୩୦ ହଜାର ସୈନ୍ୟଙ୍କୁ ଋଷ ଅପସାରଣ କରିଥିବାବେଳେ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଜୀବନ ବିକଳରେ ସ୍ବଦେଶ ଫେରୁଥିବା ଦେଖାଯାଇଛି। ଅନେକ ସୈନ୍ୟଙ୍କୁ ଆତ୍ମସମର୍ପଣ କରିବା ଲାଗି ୟୁକ୍ରେନ କମାଣ୍ଡର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ନଗରୀ ଭାବେ ଗତ ମାର୍ଚ୍ଚରେ ଋଷ କବଜାକୁ ଯାଇଥିବା ଖେରସନ ସ୍କୋୟାରରେ ଉଡ଼ିଛି ୟୁକ୍ରେନ ପତାକା। ଖେରସନରେ ପରାଜୟ ଋଷ ଲାଗି ଆସନ୍ତାଦିନରେ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି।

ସେପଟେ ଏହି ସୈନ୍ୟ ପ୍ରତ୍ୟାହାରର ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ। ଖେରସନର ୩ ହଜାରରୁ ଅଧିକ ବର୍ଗ କିଲୋମିଟର ଅଞ୍ଚଳ ବର୍ତ୍ତମାନ ୟୁକ୍ରେନ କବଜାରେ ରହିଛି। ସେପଟେ ସୈନ୍ୟ ପ୍ରତ୍ୟାହାର ବେଳେ ଖେରସନର କାଖୋଭକା ଡ୍ୟାମ ବ୍ରିଜକୁ ବିସ୍ଫୋରଣରେ ଉଡାଇଛନ୍ତି ଋଷ ସୈନ୍ୟ। ସେପଟେ ଭ୍ଲାଦିମିର ପୁଟିନଙ୍କ ବ୍ରେନ କୁହାଯାଉଥିବା ଆଲେକଜାଣ୍ଡାର ଦୁଗିନ କହିଛନ୍ତି- ତାଙ୍କ ଜୀବନ ବର୍ତ୍ତମାନ ବିପଦପୂର୍ଣ୍ଣ। ଏହାସହ ପୁଟିନଙ୍କୁ ବର୍ତ୍ତମାନ ଗାଦିଚ୍ୟୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି- ଖେରସନରୁ ସୈନ୍ୟ ପ୍ରତ୍ୟାହାର ପରେ ଋଷର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ବ୍ୟାପକ ଭାବେ ପ୍ରଭାବିତ ହେବ। ଯୁଦ୍ଧରେ ଋଷ ବ୍ୟବହାର କରିଥିବା ଅସ୍ତ୍ରଗୁଡିକର ଗୁଣବତ୍ତା ନେଇ ଏବେ ବିଶ୍ବବାସୀ ଜାଣିବାର ସୁଯୋଗ ପାଇଛନ୍ତି। ଋଷନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରଭାବହୀନ ହୋଇଥିବା ପ୍ରମାଣିତ ହୋଇଛି। ଏହା ସହ ୟୁକ୍ରେନ ଆକ୍ରମଣ ପୁଟିନଙ୍କ ଏକ ଭୁଲ ଆକଳନ ଥିଲା ବୋଲି କହିଛନ୍ତି ଜନସନ।