ଶକ୍ତିଶାଳୀ ହେବ ୟୁକ୍ରେନ, ଖୁବଶୀଘ୍ର ପାଇବ ଅତ୍ୟାଧୁନିକ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ

1 min read

କିଭ୍: ଋଷକୁ ଜୋରଦାର ଟକ୍କର ଦେବ ୟୁକ୍ରେନ । ଆମେରିକାଠାରୁ ୟୁକ୍ରେନ ଅତ୍ୟାଧୁନିକ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ପାଇବାକୁ ଯାଉଥିବାବେଳେ ଏହାର ପରିଚାଳନା ଲାଗି ୟୁକ୍ରେନୀୟ ସୈନ୍ୟଙ୍କୁ ତାଲିମ ଦେବ ଆମେରିକା । ପେଣ୍ଟାଗନ ପକ୍ଷରୁ କୁହାଯାଇଛି- ଏହି ଡିଫେନ୍ସ ସିଷ୍ଟମ ପରିଚାଳନା ଲାଗି ୟୁକ୍ରେନୀୟ ସୈନ୍ୟଙ୍କୁ ଆମେରିକାର ଓକଲାହୋମାରେ ପ୍ରଶିକ୍ଷଣ ଦିଆଯିବ । ଋଷ ବିରୋଧରେ ଲଢ଼ିବା ଲାଗି ୟୁକ୍ରେନକୁ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବାକୁ ଗତବର୍ଷ ଘୋଷଣା କରିଥିଲା ଆମେରିକା । ଆସନ୍ତା ସପ୍ତାହରୁ ଓକଲାହୋମାସ୍ଥିତ ଫୋର୍ଟ ସିଲରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ ବୋଲି କହିଛନ୍ତି ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ବ୍ରିଗେଡିୟର ଜେନେରାଲ ପାଟ୍ ରାଇଡର ।

ପ୍ରଥମ ପର୍ଯ୍ୟାୟରେ ୯୦ରୁ ୧୦୦ ଜଣ ୟୁକ୍ରେନୀୟ ସୈନ୍ୟଙ୍କୁ ତାଲିମ ଦିଆଯିବ । ଥରେ ଏହା ମୁତୟନ ହେଲେ ଋଷର କ୍ଷେପଣାସ୍ତ୍ରଗୁଡ଼ିକୁ ସହଜରେ ଧ୍ବଂସ କରାଯାଇପାରିବ । ରେଥୟନ କମ୍ପାନି ଦ୍ବାରା ନିର୍ମିତ ଏମଆଇଏମ-୧୦୪ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ହେଉଛି ଏକ ଭୂପୃଷ୍ଠରୁ ଆକାଶମାର୍ଗ ବର୍ଗର ଏକ କ୍ଷେପଣାସ୍ତ୍ରଭିତ୍ତିକ ସିଷ୍ଟମ ଯାହାକି ଶତ୍ରୁ ରାଷ୍ଟ୍ରର ମିସାଇଲକୁ ସହଜରେ ନଷ୍ଟ କରିପାରିବ । ବହୁ ଉଚ୍ଚତାରେ ଆସୁଥିବା କ୍ଷେପଣାସ୍ତ୍ରକୁ ବି ଏହା ସହଜରେ ଧ୍ବଂସ କରିଥାଏ । ସେପଟେ ୟୁକ୍ରେନର ଖାରକିବ ଅଞ୍ଚଳରେ ପୁଣି ଥରେ ଋଷ ହମଲା କରିଛି । ଜର୍ମାନୀ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେରବକଙ୍କ ଆକସ୍ମିକ ପରିଦର୍ଶନ ପରେ ପରେ ଖାରକିବରେ ହମଲା କରିଥିଲା ଋଷ ।