ସୈନିକ ସ୍ୱାମୀଙ୍କୁ ଋଷ୍‌ ମହିଳାଙ୍କ ପରାମର୍ଶ, ୟୁକ୍ରେନ୍‌ ମହିଳାଙ୍କ ସହ ଦୁଷ୍କର୍ମ କର, ଅଡ଼ିଓ ଭାଇରାଲ

କିଭ୍‌: କୁହାଯାଏ ଜଣେ ମହିଳା କେବଳ ଅନ୍ୟ ଜଣେ ମହିଳାର ଦୁଃଖ ବୁଝିପାରେ । କିନ୍ତୁ ଋଷର ଜଣେ ମହିଳାଙ୍କ କଥା ଶୁଣିଲେ ଆପଣଙ୍କ ଆଖିରୁ ନିଦ ହଜିଯିବ । କାରଣ ଜଣେ ମହିଳା ହୋଇ ଅନ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ପରାମର୍ଶ ଦେଉଛନ୍ତି । ଏହିଭଳି ଅଭାବନୀୟ ଖବର ଆସିଛି ଋଷରୁ । ଯେଉଁଠାରେ ଜଣେ ମହିଳା ତା’ ସୈନିକ ସ୍ୱାମୀକୁ ୟୁକ୍ରେନ୍‌ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ପରାମର୍ଶ ଦେଉଛି । ଖାଲି ସେତିକି ନୁହେଁ ଏଭଳି ଘୃଣ୍ୟ କାମ କରିବା ବେଳେ ସତର୍କ ରହିବାକୁ ମଧ୍ୟ କହିଛି ।

ବାସ୍ତବରେ ‘ଦ ସିକ୍ୟୁରିଟି ସର୍ଭିସ ଅଫ୍‌  ଦ ୟୁକ୍ରେନ୍‌’ର ଇଣ୍ଟରସେପ୍ଟର ଋଷ୍‌ ସୈନିକ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ରେକର୍ଡ଼ କରି ନେଇଛି । ଯେଉଁଥିରୁ ଉପରୋକ୍ତ ଘଟଣା ବିଷୟରେ ଜାଣିବାକୁ ମିଳିଛି । ଟେଲିଗ୍ରାମ ଚ୍ୟାନେଲରେ ଏହି ଅଡ଼ିଓ ଭାଇରାଲ ମଧ୍ୟ ହେଉଛି । ଅଡ଼ିଓରୁ ଏହା ଜଣାପଡ଼ୁଛିଯେ, ଋଷର ୮୦ ପ୍ରତିଶତ ମହିଳା ଏହାକୁ ସମର୍ଥନ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଋଷ୍‌ ସୈନିକ ପଚାରୁଛନ୍ତିଯେ, ମୋତେ କ’ଣ ସତରେ ଏଭଳି କରିବା ଉଚିତ୍‌? ପ୍ରତ୍ୟୁତ୍ତରରେ ମହିଳା କହୁଛନ୍ତି ସତର୍କତାର ସହିତ । ତେବେ ଏହି ଅଡ଼ିଓ ସେହି ସମୟରେ ସାମ୍ନାକୁ ଆସିଲା, ଯେତେବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲଂସ୍କି ଋଷ୍‌ ସୈନିକଙ୍କ ଉପରେ ୟୁକ୍ରେନ୍‌ ମହିଳାଙ୍କ ସହିତ ଦୁଷ୍କର୍ମ ଅଭିଯୋଗ ଆଣିଲେ ।

ଏହା ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେଯେ, ଜଣେ ୫୦ ବର୍ଷୀୟ ମହିଳାଙ୍କ ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ୱାମୀ ସାମ୍ନାରେ ପତ୍ନୀ ସହିତ ଦୁଷ୍କର୍ମ କରାଯାଇଛି । ଯାହା ନିଜେ ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ବାସ୍ତବରେ ଏହା ନିହାତି ଭାବରେ ଘୃଣ୍ୟଜନକ ଘଟଣା ।