ୟୁକ୍ରେନ ଯୁଦ୍ଧରେ ଫସିରହିଥିବା ମହିଳାଙ୍କୁ କ୍ରୀତଦାସ ବନାଉଛନ୍ତି ଅପରାଧୀ ଗ୍ୟାଙ୍ଗ୍, ବଢ଼ିପାରେ ବେଶ୍ୟାବୃତ୍ତି

କିଭ୍: ଋଷର ଘନ ଘନ ଆକ୍ରମଣରେ ୟୁକ୍ରେନ୍ ଛାରଖାର । ପ୍ରତିମୂର୍ହୁତ୍ତରେ ଲଢୁଛନ୍ତି ଜୀବନମୃତ୍ୟୁର ସଂଗ୍ରାମ । ଆକାଶରୁ ବର୍ଷୁଛି ଋଷ ମିଜାଇଲ । ଋଷ ଟ୍ୟାଙ୍କ ସବୁକିଛି କରି ଦେଉଛନ୍ତି ନଷ୍ଟ । ଜୀବନ ବଞ୍ଚାଇବାକୁ ୟୁକ୍ରେନବାସୀଙ୍କ ସାହାରା ପାଲଟିଛି ବଙ୍କର । ସ୍ଥିତି ଏତେ ଭୟଙ୍କରରେ ପିଲାଙ୍କୁ ଧରି ୟୁକ୍ରେନର ଲକ୍ଷ ଲକ୍ଷ ମହିଳା ଦେଶ ଛାଡ଼ି ପଡୋଶୀ ଦେଶକୁ ଚାଲି ଯାଉଛନ୍ତି । ରିପୋର୍ଟ ଅନୁସାରେ ଗତ ୧୧ ଦିନି ଭିତରେ ୧୫ ଲକ୍ଷ ଲୋକ ଦେଶ ଛାଡି ସାରିଛନ୍ତି । ତେବେ ଏହି ପଳାୟନ ଆଉ ଏକ ବଡ଼ ସମସ୍ୟା ୟୁରୋପ ପାଇଁ ନେଇ ଆସିଛି । ସ୍ଥିତିକୁ ସୁଯୋଗ କରି ମାତିଛନ୍ତି ଅପରାଧୀ ଗ୍ୟାଙ୍ଗ । ଟାର୍ଗେଟରେ ୟୁକ୍ରେନ ଛାଡି ପଡୋଶୀ ରାଷ୍ଟ୍ରକୁ ଚାଲି ଯାଉଥିବା ୟୁକ୍ରେନ ନାଗରିକ । ବିଶେଷ କରି ମହିଳା ଓ ଶିଶୁ । ଅସହାୟ ୟୁକ୍ରେନ ମହିଳା ଓ ଶିଶୁ ହୋଇପାରନ୍ତି ଅପରାଧୀଙ୍କ ଗୁଲାମ । ଲାଗି ପାରନ୍ତି ବେଶ୍ୟାବୃତ୍ତି ପରି ଧନ୍ଦାରେ । ୟୁରୋପୀୟ ସଂଘ ଓ ମିଳିତ ଜାତିସଂଘ ପକ୍ଷରୁ ଏମିତି ଆଶଙ୍କା କରାଯାଇଛି।

ୟୁରୋପୀୟ ସଙ୍ଘର ଅଧିକାରୀ ଏବଂ ମିଳିତ ଜାତିସଂଘ ଅନୁସାରେ ଋଷ ଆକ୍ରମଣ ଯୋଗୁଁ ଦେଶ ଛାଡ଼ି ପ୍ରାୟ ୭୦ ନିୟୁତ ଲୋକ ପଡୋଶୀ ପୋଲାଣ୍ଡ, ମାଲଡୋଭା, ରୋମାନିଆ, ସ୍ଲୋଭାକିଆ ଓ ହଙ୍ଗେରୀରେ ଆଶ୍ରୟ ନେଇପାରନ୍ତି । ଏମାନେ ମାନବ ଚାଲାଣ ରାକେଟ ଚଲାଉଥିବା ଅପରାଧୀଙ୍କ ଟାର୍ଗେଟ ବିନ ପାରନ୍ତି । ଏମାନଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ବେଶ୍ୟାବୃତ୍ତି ପରି କାମରେ ଲଗାଯାଇପାରେ । ଏହାସହ ଏମାନେ ଦାସତ୍ୱରେ ଫସି ରହିପାରନ୍ତି ।

ୟୁକ୍ରେନ ସୀମା ପାର କରି ଟଙ୍କା ମଗା ଯାଉଛି:
ଜାତୀୟ ଗଣମାଧ୍ୟମ ମୁତାବକ ଏମିତି ଖବର ମଧ୍ୟ ରହିଛି ଯେ କିଛି ମହିଳା ଏବଂ ପରିବାର ମାଗଣାରେ ସୀମା ଅତିକ୍ରମ କରିବା ଅଫର ପାଇଥିଲେ । ଯାହାକୁ ସେମାନେ ଗ୍ରହଣ କରି ନେଇଥିଲେ । ହେଲେ ପଡୋଶୀ ଦେଶରେ ପହଞ୍ଚିବା ପରେ ସେମାନଙ୍କୁ ଟଙ୍କା ମଗା ଯାଇଥିଲା।
ଜଣେ ୨୭ ବର୍ଷୀୟ ୟୁକ୍ରେନ ମହିଳା କହିଛନ୍ତି, ତାଙ୍କର ଜଣଷ ମହିଳା ବନ୍ଧୁଙ୍କୁ ଜଣେ ବ୍ୟକ୍ତି ମାଗଣାରେ ପୋଲାଣ୍ଡ ନେଇଯାଇଥିଲେ । ଏଥିପାଇଁ ସେ କୌଣସି ଟଙ୍କା ନ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପୋଲାଣ୍ଡରେ ପହଞ୍ଚିବା ପରେ ବ୍ୟକ୍ତି ଜଣଙ୍କ ଟଙ୍କା ମାଗିଥିଲେ । ହେଲେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ସେ ତାଙ୍କୁ ଗୁଲାମ କରି ରଖିବାକୁ ବାଧ୍ୟ କରିଥିଲା । ସୌଭାଗ୍ୟକୁ ମହିଳା ଜଣଙ୍କ ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।

ଶରଣାର୍ଥୀ ଶୋଷଣର ଶିକାର ହୋଇପାରନ୍ତି:

ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ୟୁକ୍ରେନ ଯୁଦ୍ଧ ମାନବ ଚାଲାଣ ଦୃଷ୍ଟିକୋଣରୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଏହା ସମଗ୍ର ୟୁରୋପରେ ପ୍ରଭାବ ପକାଇବ । ଶରଣାର୍ଥୀଙ୍କ ଶୋଷଣର ଆଶଙ୍କା ବି ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ଯେ ଯୁଦ୍ଧ ପରେ ସମୟ ସହିତ ଚୋରା ଚାଲାଣକାରୀଙ୍କ ଦ୍ୱାରା ଶରଣାର୍ଥୀଙ୍କ ଶୋଷଣ ମାମଲାରେ ବୃଦ୍ଧି ଘଟିବ। ଏହି ଯୁଦ୍ଧରେ କେବଳ ଜନହାନି ହେବ ନାହିଁ, ବରଂ ୟୁକ୍ରେନରୁ ସମ୍ଭବତ ୭୦ ଲକ୍ଷ ଲୋକ ବିସ୍ଥାପିତ ହୋଇ ମାନବ ଚାଲାଣର ଶିକାର ହେବେ।

ଅପରାଧୀଙ୍କ ଟାର୍ଗେଟରେ ମହିଳା ଓ ଶିଶୁ:
ବିଶେଷଜ୍ଞଙ୍କ ମୁତାବକ ୟୁକ୍ରେନ ଛାଡୁଥିବା ଲୋକେ ଏବେ ଅପରାଧୀ ଗ୍ୟାଙ୍ଗଙ୍କ ଟାର୍ଗେଟରେ । ୟୁକ୍ରେନ ରାଷ୍ଟ୍ରପତି ଯୁବକ ଓ ୬୦ ବର୍ଷ ପର୍ଯ୍ୟନ୍ତ ପୁରୁଷଙ୍କୁ ଦେଶ ଛାଡିବାକୁ ମନା କରିଥିବାରୁ ଅଧିକ ସଂଖ୍ୟାରେ ମହିଳା ଓ ଶିଶୁ ପଡୋଶୀ ଦେଶକୁ ଯାଉଛନ୍ତି । ଦେଶ, ପରିବାର, ଘରଦ୍ବାର ଛାଡି ପଡୋଶୀ ଦେଶର ଶରଣାର୍ଥୀ ଶିବିରରେ ପଡି ରହିଥିବା ଏହି ଲକ୍ଷ ଲକ୍ଷ ମହିଳା ଓ ଶିଶୁଙ୍କ ଉପରେ ଏବେ ଏହି ଅପରାଧୀ ଗ୍ୟାଙ୍ଗଙ୍କ ଆଖି ପଡିଛି । ଯେଣେତେଣେ ପ୍ରକାରେ ବିଭିନ୍ନ ପ୍ରଳଷାଭନ ଦେଖାଇ ସେମାନଙ୍କ ଅସହାୟତାର ସୁଯୋଗ ନେଇ ଏହି ଗ୍ୟାଙ୍ଗ ଗୁଡିକ ଏମାନଙ୍କୁ ଅପରାଧ ଦୁନିଆରେ ସାମିଲ କରିବାକୁ ଲାଗିପଡିଛନ୍ତି ।

Leave a Reply