spot_img

Latest Posts

ୟୁକ୍ରେନ୍‌ର ଗ୍ୟାସ୍ ପାଇପ୍ ଲାଇନ୍ ଉଡ଼ାଇ ଦେଲା ଋଷ ସେନା

ନୂଆଦିଲ୍ଲୀ: ଜାରି ରହିଛି ଋଷର ଆକ୍ରମଣ । ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍‌ ନଗରୀ ଖାର୍କିଭ୍‌ରେ ବିସ୍ଫୋରଣ ଭିଆଇଛି ଋଷ ସେନା । ଗ୍ୟାସ୍‌ ପାଇପ୍‌ଲାଇନ୍‌ ନଷ୍ଟ କରି ଦେଇଥିବା କଥା ଆଜି ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧.୫ ନିୟୁତ ଜନତା ବାସ କରୁଥିବା ଏହି ସହର ଋଷ ସୀମା ଠାରୁ ୪୦ କିଲୋମିଟର୍‌ ଦୂରରେ ଅବସ୍ଥିତ।

ୟୁକ୍ରେନ୍‌ର ଶୀର୍ଷସ୍ତରୀୟ ସରକାରୀ ଓକିଲ ଇରିନା ଭେନେଦିକ୍ତୋଭା କହିଛନ୍ତି ଯେ, ସମ୍ପ୍ରତି ଖାର୍କିଭ୍‌ରେ ଭୟାବହ ଲଢ଼େଇ ଚାଲିଛି। ତେଣୁ, ଋଷ ସେନା ଖାର୍କିଭ୍‌ ଅକ୍ତିଆର କରିବାକୁ ଅସମର୍ଥ ହେଉଛନ୍ତି। ସେହିପରି, କ୍ଷେପଣାସ୍ତ୍ର ଆକ୍ରମଣ ହେତୁ କିଏଭ୍‌ ନିକଟରେ ଗୋଟାଏ ତେଲ ଡିପୋରେ ନିଆଁ ଲାଗିଯାଇଛି। ଆଜି ସକାଳେ କିଏଭ୍‌ରେ ଦୁଇଟି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିଲା। ସହରର କେନ୍ଦ୍ରସ୍ଥଳୀ ଠାରୁ ଦକ୍ଷିଣପଶ୍ଚିମ ପ୍ରାନ୍ତକୁ ପ୍ରାୟ ୨୦ କିଲୋମିଟର ଦୂରବର୍ତ୍ତୀ ସ୍ଥାନର ଆକାଶ ଏହି ବିସ୍ଫୋରଣରେ ଆଲୋକିତ ହୋଇ ଉଠିଥିଲା। ତେଣେ, ଜର୍ମାନି କହିଛି ସେ ୟୁକ୍ରେନ୍‌କୁ ୧୦୦୦ଟି କମାଣ-ବିରୋଧୀ ଅସ୍ତ୍ରଶସ୍ତ୍ର ଏବଂ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ୫୦୦ଟି ‘ଷ୍ଟିଙ୍ଗର୍‌’ କ୍ଷେପଣାସ୍ତ୍ର ପଠାଇବ। ଏହା ବ୍ୟତିରେକେ, ଋଷ ସେନାକୁ ବାଟବଣା କରିବା ଲାଗି ୟୁକ୍ରେନ୍‌ ରାସ୍ତାଘାଟରେ ଲଗାଯାଇଥିବା ନାମଫଳକ ଗୁଡ଼ିକୁ ହଟାଇ ଦିଆଯାଇଛି ।

ପୂର୍ବରୁ ୮୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନକୁ ଧୁଳିସାତ୍  କରିଛି ଋଷ । ନଷ୍ଟ ହେଉଛି ଲୋକଙ୍କ ସମ୍ପତ୍ତି । ପ୍ରତିରୋଧ ଲାଗି ପ୍ରାଣମୂର୍ଚ୍ଛା ସଂଗ୍ରାମ ଜାରି ରଖିଛନ୍ତି ୟୁକ୍ରେନ ସୈନ୍ୟ । ୟୁକ୍ରେନ୍‌ରେ  ଜରୁରୀକାଳିନ ପରିସ୍ଥିତି ଜାରି ହୋଇଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଯିଏ ବାହାରକୁ ବାହାରିବ ସେମାନେ ଅପରାଧୀ ବୋଲି ଧରାଯିବ ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନ ରାଜଧାନୀକୁ କେତେବେଳେ ବି ଅକ୍ତିଆର କରିପାରେ ଋଷ: ୮୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧୁଳିସାତ୍

Latest Posts

Don't Miss