ୟୁକ୍ରେନ ବିରୋଧରେ ସମରସଜ୍ଜା , ହୋଇପାରେ ଜୋରଦାର ଆକ୍ରମଣ

1 min read

କିଭ୍ : ୟୁକ୍ରେନ ବିରୋଧରେ ଋଷ ଓ ବେଲାଋଷର ସମରସଜ୍ଜା । ଦୁଇ ଦେଶ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ବାୟୁସେନା ଡ୍ରିଲ । ଫଳରେ ୟୁକ୍ରେନ ଉପରେ ଆକ୍ରମଣ ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ଏହି ଡ୍ରିଲରେ ସାମରିକ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରାଯାଇଛି । ସେପଟେ ବେଲାଋଷ ସରକାର କହିଛନ୍ତି ଏହି ଡ୍ରିଲ ଆତ୍ମରକ୍ଷାମୂଳକ । ପୂର୍ବରୁ ବି ବହୁଥର ବେଲାଋଷ ପକ୍ଷରୁ ଏହି ଧରଣର ଡ୍ରିଲ କରାଯାଇଛି ।

ଗତ କିଛି ଦିନ ମଧ୍ୟରେ ବେଲାଋଷକୁ ବହୁ ସଂଖ୍ୟକ ଲଢୁଆ ବିମାନ, ହେଲିକପ୍ଟର, କାର୍ଗୋ ପ୍ଲେନ ଆସିଥିବା ସୂଚନା ମିଳିଛି । ତେଣେ ଋଷର ବାୟୁ ସେନାର ସୈନିକମାନେ ବେଲାଋଷରେ ବି ପହଞ୍ଚିବାରେ ଲାଗିଛନ୍ତି । ଏହି ଡ୍ରିଲରେ ବେଲାଋଷର ସମସ୍ତ ଏୟାରଫିଲଡ, ଟ୍ରେନିଂ ଗ୍ରାଉଣ୍ଡ, ଏୟାର ଡିଫେନ୍ସ ଫୋର୍ସ ଆଦିକୁ ସାମିଲ କରାଯାଇଛି । ଦେଶ ଉପରେ କୌଣସି ପ୍ରକାର ଆକ୍ରମଣ କିମ୍ବା ଦେଶର ସୀମୀ ଉପରେ ଆତଙ୍କୀ ହମଲା ବିରୋଧରେ ଦେଶ ପ୍ରସ୍ତୁତ ରହିଛି ବୋଲି କହିଛି ବେଲାଋଷ ।

ବେଲାଋଷ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ନେଇ ବାରମ୍ବାର ଆଶଙ୍କା ବ୍ୟକ୍ତ କରିବାରେ ଲାଗିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସମ୍ଭାବ୍ୟ ଆକ୍ରମଣ ବିରୋଧରେ ପ୍ରସ୍ତୁତ ରହିବା ଲାଗି ବି ସେ ଆହ୍ବାନ ଦେଇଛନ୍ତି । ତେବେ କ୍ରେମଲିନ ପକ୍ଷରୁ କୁହାଯାଇଛି- ଯୁଦ୍ଧରେ ସକ୍ରିୟ ଭୂମିକା ନେବା ଲାଗି ବେଲାଋଷ ଉପରେ କୌଣସି ଚାପ ପକାଯାଉନାହିଁ ।

ସେପଟେ ୟୁକ୍ରେନର ନିପ୍ରୋ ସମେତ ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ଋଷୀୟ ହମଲାରେ ମୃତ୍ୟୁ ସଂଖ୍ୟା ହୋଇଛି ୩୫ । 30ରୁ ଅଧିକ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 40ରୁ ଅଧିକ ଲୋକ ଧ୍ବଂସାବେଶେଷ ତଳେ ଫସି ରହିଛନ୍ତି । ତେଣେ ଫ୍ରାନ୍ସ ଓ ପୋଲାଣ୍ଡ ପରି ବ୍ରିଟେନ ୟୁକ୍ରେନକୁ ଅଧିକ ଅସ୍ତ୍ର ଯୋଗାଇବାକୁ ଘୋଷଣା କରିଛି । ତନ୍ମଧ୍ୟରେ ରହିଛି ଚାଲେଞ୍ଜର-2 ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ।