ଭଣ୍ଡୁର ହେଲା ଋଷ୍‌ ସୈନିକଙ୍କ ଯୋଜନା, ଗ୍ରାମବାସୀ ସୃଷ୍ଟି କଲେ କୃତ୍ରିମ ବନ୍ୟା

ନୂଆଦିଲ୍ଲୀ: ଥମୁନାହିଁ ଋଷିଆ ୟୁକ୍ରେନ୍‌ ଯୁଦ୍ଧ, କେବେ ଥମିବ ତାହା ମଧ୍ୟ କହିବା ଅସମ୍ଭବ । ଗତ ଦୁଇ ମାଦ ହେବ ଯୁଦ୍ଧ ଜାରି ରଖିଥିଲେ ମଧ୍ୟ ଋଷିଆକୁ ସାମାନ୍ୟ ସଫଳତା ମିଳିଛି । କିଭ୍‌ ଅଭିମୁଖେ ମାଡ଼ି ଆସୁଥିବା ଋଷିଆ ସୈନ୍ୟଙ୍କୁ ଅଟକାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ୟୁକ୍ରେନବାସୀ । ୟୁକ୍ରେନ୍‌ବାସୀ ଜାଣିଶୁଣି ନିଜେ ରହୁଥିବା ଗାଁ ମାନଙ୍କରେ ସୃଷ୍ଟି କରିଛନ୍ତି କୃତ୍ରିମ ବନ୍ୟା ।

କିବ୍‌ର ଉତ୍ତର ପ୍ରାନ୍ତରେ ଥିବା ଦେମିଦିଭ୍‌ ଗ୍ରାମର ବାସିନ୍ଦାମାନେ ଗତ ମାର୍ଚ୍ଚ ମାସରେ ବନ୍ୟା କରାଇ ରୁଷୀୟ ସୈନ୍ୟଙ୍କ କମାଣ ଆକ୍ରମଣକୁ ଫୁ  କରିଦେବା ସହ ଯୁଦ୍ଧ ପ୍ରସ୍ତୁତି ପାଇଁ ସେମାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଥିଲେ ।

ଗ୍ରାମବାସୀମାନେ ଦିନିପ୍ରୋ ନଦୀରୁ ନାଳ କାଟି ପାଣି ପ୍ରବାହ କରାଇ ସେ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଥିଲେ। ଫଳରେ ଗ୍ରାମରେ ବ୍ୟାପକ କ୍ଷତି ହୋଇଥିଲା।

ବନ୍ୟା ପାଣି ପଶିଥିବା କୋଠରୀରେ ଥିବା ଅବସ୍ଥାରେ ସେହି ଗ୍ରାମର ଅଣ୍ଟୋନିଆନ୍‌ କୋସ୍ତୁଚେଙ୍କୋ ନାମକ ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି, ସମସ୍ତେ ହୃଦୟଙ୍ଗମ କରିପାରୁଛନ୍ତି କିନ୍ତୁ, କେହି କ୍ଷଣିକ ପାଇଁ ସୁଦ୍ଧା ଦୁଃଖ ପ୍ରକାଶ କରୁ ନାହାଁନ୍ତି।

ଆଉ ଜଣେ ଗ୍ରାମବାସୀ କହିଛନ୍ତିଯେ,  ଏମିତି କରି ଆମେ କିବ୍‌କୁ ରକ୍ଷା କରିଛୁ।

ଗାଁକୁ ବନ୍ୟାମୟ କରିବାରୁ ରୁଷୀୟ ଯୁଦ୍ଧଯାନ ଯିବା ବାଟରେ ପ୍ରଶସ୍ତ ଏବଂ ଅଗଭୀର ଜଳାଶୟ ସୃଷ୍ଟି ହୋଇଥିଲା। ଫଳରେ ସେମାନେ ଆଉ କିବ୍‌ ଅଭିମୁଖେ ଅଗ୍ରସର ହୋଇ ନପାରି ଫେରି ଯାଇଥିଲେ।