ଖେରସନ ପରେ ଋଷ ହାତରୁ ଖାରକିଭ୍କୁ ଛଡାଇ ଆଣିଲା ୟୁକ୍ରେନ

1 min read

କିଭ: ଋଷ- ୟୁକ୍ରେନ ଯୁଦ୍ଧର ଟର୍ଣ୍ଣିଂ ପଏଣ୍ଟ । ଋଷ ହାତରୁ ଦ୍ବିତୀୟ ବୃହତ୍ତମ ସହର ଖାରକିଭକୁ ଛଡାଇ ଆଣିଲା ୟୁକ୍ରେନ । ଗତ କିଛି ଦିନ ଧରି ଖାରକିଭର ବହୁ ଅଞ୍ଚଳକୁ ଋଷ ନିଜ କବଜାରେ ରଖିଥିବା ବେଳେ ୟୁକ୍ରେନ ସୈନ୍ୟଙ୍କ ବୀରତ୍ବ ଯୋଗୁ ପଛଘୁଞ୍ଚା ଦେଇଛି ଋଷ । ଏହା ଯୁଦ୍ଧର ଏକ ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଇଛି ।

ଦେଶର ବିଭିନ୍ନ ଭାଗରେ ଧ୍ବଂସଲୀଳା ଚାଲିଥିବା ସତ୍ତ୍ବେ ଖାରକିଭରେ ବିଜୟ ନେଇ ଘୋଷଣା କରିଛି ୟୁକ୍ରେନ । ଖାରକିଭ ଲାଗି ନିଯୁକ୍ତ ଋଷୀୟ କର୍ମକର୍ତ୍ତା ଭିତାଲି ଗାନଚେଭ କହିଛନ୍ତି,  ଖାରକିଭରେ ଅଧିକାଂଶ ଅଞ୍ଚଳ ୟୁକ୍ରେନ ହାତକୁ ଚାଲିଯାଇଛି । ସେହିପରି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଖାରକିବର ପ୍ରାୟ 30ଟି ଜନବସତି ଉପରେ ୟୁକ୍ରେନବାହିନୀ ଅଧିକାର ସାବ୍ୟସ୍ତ କରିଛନ୍ତି । ଏଥିଲାଗି ସେ ସୈନ୍ୟବାହିନୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତେଣେ ଇଜିୟମ ଓ ଅନ୍ୟାନ୍ୟ ସହରରୁ ନାଗରିକମାନଙ୍କୁ ଖାଲି କରାଯାଉଛି ବୋଲି କହିଛନ୍ତି ଭିତାଲି ।

ଜେଲେନସ୍କିଙ୍କ ପରାମର୍ଶଦାତା ଓଲେକ୍ସି ଆରେସ୍ତୋଭିଚ କହିଛନ୍ତି- ଇଜିୟମରେ ବି ଋଷ ସୈନ୍ୟ ପରାସ୍ତ ହେବାରେ ଲାଗିଛନ୍ତି । ୟୁକ୍ରେନ ଆକ୍ରମଣରେ ଶତାଧିକ ଋଷୀୟ ସୈନ୍ୟ ପ୍ରାଣ ହରାଇଲେଣି ଏବଂ ଅନେକଙ୍କୁ ଯୁଦ୍ଧବନ୍ଦୀ ଭାବେ ରଖାଗଲାଣି । ଫେବ୍ରୁଆରୀ 24ରେ ଆକ୍ରମଣ ପର ଠାରୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ପ୍ରାୟ ଏକ ପଞ୍ଚମାଂଶ ଅଞ୍ଚଳକୁ ନିଜ କବଜାରେ ରଖିଛି ଋଷ ।

ତେଣେ ଆମେରିକା ପ୍ରତିରକ୍ଷା  ମନ୍ତ୍ରୀ ଲିଡ ଅଷ୍ଟିନ କହିଛନ୍ତି, ଖେରସନ ପରେ ଖାରକିଭରେ ୟୁକ୍ରେନର ବିଜୟ ଘଟିଛି । ଏହା ଅଧିକ କିଛି ଆଶା ପ୍ରଦାନ କରୁଛି । ଗତକାଲି ଖାରକିଭରେ ଋଷୀୟ ସୈନ୍ୟ ଆହତ ସୈନ୍ୟମାନଙ୍କୁ ଉଦ୍ଧାର କରିବା ସହ କ୍ଷତିଗ୍ରସ୍ତ ଯୁଦ୍ଧାସ୍ତ୍ରକୁ ଯାଞ୍ଚ କରିଥିଲେ । ତେଣେ ଉତ୍ତରପୂର୍ବ ସୁମିର ଏକ ହସ୍ପିଟାଲରେ ରକେଟ ହାମଲା କରିଛି ଋଷ । ସେପଟେ ଯୁଦ୍ଧରେ ଜାପୋରିଜିୟା ଆଣବିକ ପ୍ଲାଣ୍ଟର ଯଥେଷ୍ଟ କ୍ଷତି ଘଟିଲାଣି ଏବଂ ବିପଦ ଘେରକୁ ପ୍ଲାଣ୍ଟ ଚାଲିଗଲାଣି ବୋଲି କହିଛି ଆନ୍ତର୍ଜାତିକ ଆଣବିକ ସଂସ୍ଥା ।