ୟୁକ୍ରେନର ଦାବି, ଯୁଦ୍ଧରେ ଋଷର ମେଜର ଜେନେରାଲ ମୃତ !

କିଭ୍: ଋଷିଆର ମେଜର ଜେନେରାଲ ମୃତ । ଖାରକିଭ୍‌ରେ ରୁଷର ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ ।  ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟ ଗୁପ୍ତଚର ବିଭାଗ କହିଛି ଯେ ଖାରକିଭ୍‌ ନିକଟରେ ୟୁକ୍ରେନ ରୁଷର ମେଜର ଜେନେରାଲ ବିଟାଲି ଗେରାସିମବଙ୍କୁ ହତ୍ୟା କରିଛି । ସେପଟେ କିନ୍ତୁ ରୁଷ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ତେବେ ଏହା ପୂର୍ବରୁ ୟୁକ୍ରେନ ଦାବି କରିଥିଲା ଯେ ଋଷ ବାୟୁସେନାରେ କମାଣ୍ଡିଙ୍ଗ ଅଫିସର ଥିବା ମେଜର ଜେନେରାଲ ଏଣ୍ଡ୍ରଇ ଶୁଖୋବେଶକିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଫେବୃୟାରୀ ୨୪ରୁ ଚାଲିଥିବା ଏହି ଯୁଦ୍ଧରେ ଋଷର ଦୁଇ ଜଣ ବରିଷ୍ଠ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲେ ବି ଋଷ ପକ୍ଷରୁ ଏଯାଏଁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନା ଅନୁସାରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୩ ଦିନ ପୁରିଥିବାବେଳେ ଋଷ ଏବଂ ୟୁକ୍ରେନର ପ୍ରତିନିଧୀଙ୍କ ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନା ସୋମବାର ବେଲାଋଷରେ ଶେଷ ହୋଇଛି । ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିନଥିବାବେଳେ ଖୁବ ଶୀଘ୍ର ଦୁଇ ଦେଶ ମଧ୍ୟରେ ଚତୁର୍ଥ ରାଉଣ୍ଡ ଆଲୋଚନା ହେବ ବୋଲି କୁହାଯାଉଛି ।