ଋଷ ରାସ୍ତାରେ ଚୀନ୍, ୟୁକ୍ରେନ ଯୁଦ୍ଧ ପରେ ତାଇଓ୍ୱାନ ଉପରେ ଆକ୍ରମଣ କରିପାରେ ଚୀନ

1 min read

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିବା ଲଢ଼େଇ ଏବେ ଭୟଙ୍କର ହେବାରେ ଲାଗିଛି । ଋଷର ମିଜାଇଲ ମାଡ଼ରେ ଥରୁଛି ୟୁକ୍ରେନ । ଋଷ, ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ କବଜ୍ଜାକୁ ନେବାରେ ଲାଗିଛି । ବିଭିନ୍ନ ସହରକୁ ଭୟଙ୍କର ଆକ୍ରମଣ କରି ଛାରଖାର କରିବା ପରେ ଏବେ ପୁଟିନଙ୍କ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଦଖଲ କରିବା ପାଇଁ ଜୋରଦାର ଆକ୍ରମଣ ଜାରି ରଖିଛି ଋଷ । ତେବେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କେବଳ ଏହି ଦୁଇ ଦେଶ ମଧ୍ୟରେ ସୀମିତ ରହି ନାହିଁ । ୟୁକ୍ରେନ ଉପରେ ଏହି ଋଷର ଏହି ଆକ୍ରମଣ ପରେ ଏବେ ବିଶ୍ୱର ବିଭିନ୍ନ ଦେଶର ଆକାଶରେ ଖେଳିଯାଇଛି ଯୁଦ୍ଧର କଳା ବାଦଲ ।

ୟୁକ୍ରେନ ପାଲଟିଛି ଯୁଦ୍ଧ କ୍ଷେତ୍ର, ହେଲେ ଭୟର ବାତାବରଣ ତାଇଓ୍ୱାନରେ । ବର୍ତ୍ତମାନ ସ୍ଥିତିରେ ବିପଦ କେବଳ ୟୁକ୍ରେନ ପାଇଁ ନୁହେଁ, ବରଂ ସାରା ବିଶ୍ୱର ସୁରକ୍ଷା ବିପଦରେ । କାରଣ ଯଦି ଏକା ଢ଼ଙ୍ଗରେ ଚୀନ ତାଇଓ୍ୱାନ ଉପରେ ଆକ୍ରମଣ କରେ ତେବେ ଏହା ସାରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧ ମୁଁହକୁ ଟାଣି ଆଣିବ । ୟୁକ୍ରେନ ପରେ ତାଇଓ୍ୱାନ ଆକାଶରେ ଖେଳିଯାଇଛି ଯୁଦ୍ଧର କଳା ବାଦଲ । ପୁଟିନ୍ ୟୁକ୍ରେନକୁ ଦଖଲ କରିବା ପରେ ତାଇଓ୍ୱାନ ଉପରେ ଆକ୍ରମଣ କରିପାରେ ଚୀନ । ପୂର୍ବରୁ ବାରମ୍ବାର ତାଇଓ୍ୱାନକୁ ନିଜ ଦେଶର ଅଂଶ ବୋଲି ଦର୍ଶାଇଛି ଚୀନ । ତେବେ ଋଷ ୟୁକ୍ରେନକୁ ଦଖଲ କରିବା ପରେ ତାଇଓ୍ୱାନକୁ ଦଖଲ କରିବା ପାଇଁ ବଡ଼ ଧରଣର ଆକ୍ରମଣ କରିପାରେ ଚୀନ ।

ତାଇଓ୍ୱାନ ମଧ୍ୟ ନିଜକୁ ଅସୁରକ୍ଷିତ ଭାବିବାରେ ଲାଗିଛି । ଋଷ-ୟୁକ୍ରେନ ଯୁଦ୍ଧ ଆଳରେ ଚୀନ ଆକ୍ରମଣ କରିପାରେ ବୋଲି ତାଇଓ୍ବାନ ଆଶଙ୍କା ଦେଖାଇ ସାରିଛି । ଫେବ୍ରୁଆରୀ ୨୪, ଯେଉଁଦିନ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଠିକ ସେହିଦିନ ଚୀନର ୯ଟି ଲଢ଼ୁଆ ବିମାନ ତାଇଓ୍ୱାନ ଏୟାର ସ୍ପେସରେ ପ୍ରବେଶ କରିଥିଲେ । ଯାହାକୁ ନେଇ ତାଇଓ୍ବାନରେ ଭୟ ଖେଳିଯାଇଛି । ଚୀନ ତାଇଓ୍ୱାନ ଉପରେ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ତାଇଓ୍ୱାନ ସେନାକୁ ମଧ୍ୟ ସତର୍କ ରଖିଛନ୍ତି ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ୱେନ୍ ।
ଚୀନ-ତାଇଓ୍ୱାନ ସଙ୍କଟ ମଧ୍ୟରେ ଆମେରିକାକୁ ଧମକ ଦେଇଛି ଚୀନ । ମଙ୍ଗଳବାର ଚୀନ ଆମେରିକା ଚେତାବନୀ ଦେଇ କହିଛି କି ଯଦି ତାଇଓ୍ୱାନକୁ ସମର୍ଥନ କର ତେବେ ଏହାର ପରିଣାମ ଭୟଙ୍କର ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଇପୋଏକୁ ଏକ ପ୍ରତିନିଧି ମଣ୍ଡଳୀ ପଠାଇଥିଲେ । ତେବେ ଆମେରିକାର ପ୍ରତିନିଧି ମଣ୍ଡଳୀ ତାଇଓ୍ୱାନ ଆସିବା ପରେ ରକ୍ତମୁଖା ହୋଇପଡ଼ିଛି ଚୀନ । ଯାହା ଫଳରେ ଆମେରିକାକୁ ଧମକ ଦେଇଛି ଚୀନ । ଏହା ପୂର୍ବରୁ ଯେତେବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସେ ସମୟରେ ମଧ୍ୟ ବିଶ୍ୱକୁ ଧମକ ଦେଇଥିଲେ ପୁଟିନ୍ । ପୁଟିନ୍ କହିଥିଲେ ଯଦି ୟୁକ୍ରେନକୁ ଏହି ଯୁଦ୍ଧରେ କୌଣସି ରାଷ୍ଟ୍ର ସାହାଯ୍ୟ କରେ ତେବେ ତାହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ । ଋଷର ଏହି ଆଭିମୁଖ୍ୟକୁ ଏବେ ଆପଣେଇଛି ଚୀନ ।

Leave a Reply