ଋଷ-ୟୁକ୍ରେନ ଯୁଦ୍ଧ, ପ୍ରଥମ ଥର ପାଇଁ ଋଷ ଉପରେ ଆକ୍ରମଣ କଲା ୟୁକ୍ରେନ

କିଭ୍: ୟୁକ୍ରେନରେ ଋଷ୍‌ ସେନା ଯୁଦ୍ଧ ଆରମ୍ଭ କରିବା ପରଠାରୁ ପ୍ରଥମ ଥର ପାଇଁ ୟୁକ୍ରେନ ଋଷ୍‌ ଭିତରେ ପଶି ଆକ୍ରମଣ କରିଛି । ଋଷୀୟ ସୀମା ପାର କରି ୟୁକ୍ରେନ ଯୁଦ୍ଧ ବିମାନ ଏକ ତୈଳ ଡିପୋରେ ବିସ୍ଫୋରଣ କରିଛି । ଏହି ଆକ୍ରମଣ ପୂର୍ବ ୟୁକ୍ରେନ ସୀମାକୁ ଲାଗିଥିବା ବେଲଗୋରଡ ସହରରେ ହୋଇଥିବା ଋଷୀୟ ଅଧିକାରୀ କହିଛନ୍ତି । ୟୁକ୍ରେନ ବାୟୁସେନା ହେଲିକପ୍ଟର ପାଇଲଟଙ୍କ ଏଭଳି ଆକ୍ରମଣର ଅନେକ ଅଭିଜ୍ଞତା ରହିଛି । ଅତୀତରେ ସେମାନେ ଡୋନବାସରେ ଏହିପରି ଅନେକ ଆକ୍ରମଣ କରିଥିବାର ନଜର ରହିଛି । ଏଣୁ ଏହି କାଣ୍ଡ ମଧ୍ୟ ୟୁକ୍ରେନ ବାୟୁସେନା ପାଇଲଟ କରିଥାଇପାରନ୍ତି ବୋଲି ଋଷୀୟ ଅଧିକାରୀମାନେ କହିଛନ୍ତି ।

ଋଷୀୟ ବାୟୁ ରକ୍ଷା ପ୍ରଣାଳୀ ଓ ରାଡାରକୁ ଚକମା ଦେବାରେ ୟୁକ୍ରେନ ହେଲିକପ୍ଟର ପାଇଲଟ ବେଶ୍ ଦକ୍ଷ । ରାଡାର ଓ ପ୍ରତିରକ୍ଷା ପ୍ରଣାଳୀରୁ ବର୍ତ୍ତିବା ଲାଗି କମ୍ ଉଚ୍ଚତାରେ ଦ୍ରୁତବେଗରେ ଉଡାଣ କରି ଆକ୍ରମଣକୁ ସଫଳ କରିଥାନ୍ତି । ଡୋନାବାସ ଅଞ୍ଚଳରେ ସେମାନେ ଏପରି ଅନେକ ଟାର୍ଗେଟ୍ କରିଥିବା ବେଳେ ଶୁକ୍ରବାର ବେଲଗୋରଡରେ ତୈଳ ଡିପୋ ଧ୍ୱଂସ କରିଥିବା ସନ୍ଦେହ କରାଯାଉଛି ।