ଭୁଶୁଡ଼ିଲା ୟୁକ୍ରେନ ଅର୍ଥନୀତି, ବିଶ୍ୱ ସମୁଦାୟକୁ ସହାୟତା ମାଗିଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍: ଭୁଶୁଡ଼ିଲା ୟୁକ୍ରେନ ଅର୍ଥନୀତି । ବିଶ୍ୱ ସମୁଦାୟକୁ ସହାୟତା ମାଗିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱସ୍ତ ହୋଇଥିବା ବେଳେ, ରପ୍ତାନି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଲକ୍ଷାଧିକ ଲୋକ ଯୁଦ୍ଧରେ ପ୍ରାଣ ହରାଇଥିବା ବେଳେ, ପ୍ରାୟ ୭୦ ଲକ୍ଷ ଲୋକ ଶରଣାର୍ଥୀ ପାଲଟିବା ସହ ବିସ୍ଥାପିତ ହୋଇଛନ୍ତି । ତେଣେ ପୁଣି ଥରେ ୟୁକ୍ରେନ ଉପରେ ଋଷର ମିସାଇଲ ଷ୍ଟ୍ରାଇକ । କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ହୋଇଛ ଏକ ଗ୍ୟାସ ଉତ୍ପାଦନ କେନ୍ଦ୍ର ଓ ଏକ କ୍ଷେପଣାସ୍ତ୍ର କାରଖାନା । ଦିନିପ୍ରୋ ନଦୀ ତଟଦେଶରେ ଥିବା ଦୁଇଟି ପ୍ରାଇମ ଲୋକେସନକୁ ଋଷ ଟାର୍ଗେଟ କରିଛି । କ୍ଷେପଣାସ୍ତ୍ର ମାଡରେ ଧ୍ୱଂସ ହୋଇଛି ପିଭଦେମାସ ମିସାଇଲ ଉତ୍ପାଦନ କେନ୍ଦ୍ର ।

ଗତ ତିନିଦିନ ତଳେ ଋଷର ବିପୁଳ କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ହୋଇଥିଲା ୟୁକ୍ରେନର ଅନେକ ବିଦ୍ୟୁତ ଭିତ୍ତିଭୂମି । ଫଳରେ ପ୍ରାୟ ୭୦ ଲକ୍ଷ କୋଠା ଅନ୍ଧାରରେ ରହିଥିଲା । ଜାପୋରେଜିୟାରେ କ୍ଷେପଣାସ୍ତ୍ର ମାଡ଼ ହେବା ଯୋଗୁ ସେଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ତେଣେ ନିକୋପୋଲ ସହରରେ ୭୦ଟି ଗୋଳା ପଡ଼ିବା ଯୋଗୁ ସେଠାରେ ବିଦ୍ୟୁତ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି । ଅନେକ ଲୋକ ଅନ୍ଧାରରେ ରହିଛନ୍ତି । ତେଣେ ଋଷ ପରିତ୍ୟାଗ କରିଥିବା ଖେରସନର ବିଭିନ୍ନ ସ୍ଥାନରୁ ଠାବ ହୋଇଛି ୬୩ ମୃତଦେହ । ସେପଟେ କିଭ୍ ଅନ୍ତର୍ଗତ ଓବଲସ୍ତରେ ଋଷର ଦୁଇଟି କାଲିବର କ୍ରୁଜ ମିସାଇଲକୁ ଖସାଇଛନ୍ତି ୟୁକ୍ରେନ ବାହିନୀ ।