ଶେଷ ହେବ ୟୁକ୍ରେନ ଯୁଦ୍ଧ: ଋଷକୁ ଦିଆଯିବ ୟୁକ୍ରେନର ୪ଟି ଅଞ୍ଚଳ
1 min read
ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧକୁ ତିନି ବର୍ଷ ବିତିଲାଣି । ନା ୟୁକ୍ରେନ ହାର ମାନୁଛି, ନା ଋଷ ଛାଡୁଛି । ତେବେ ଆମେରିକାରେ ରାଷ୍ଟ୍ରପତି ବଦଳି ଡୋନାଲ୍ଡ ଟ୍ରମ୍ପ ଆସିବା ପରେ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ ଜୋରଦାର ହୋଇଛି । ଶାନ୍ତି ଓ ବୁଝାମଣା ପାଇଁ ଉଭୟ ରାଷ୍ଟ୍ରଙ୍କ ସହ ନିଜେ ଟ୍ରମ୍ପ ଓ ତାଙ୍କ ପ୍ରଶାସନ ଆଲୋଚନା କରୁଛି । ଖବର ମିଳୁଛି, ଋଷ-ୟୁକ୍ରେନ ମଧ୍ୟରେ ଶନ୍ତି ପାଇଁ ଟ୍ରମ୍ପ ପ୍ରଶାସନ ଚାଞ୍ଚଲ୍ୟକର ପରାମର୍ଶ ଦେଇଛି । ଏଥିରେ ୟୁକ୍ରେନର ୪ଟି କ୍ଷେତ୍ର ଋଷ ଦେଇ ଯୁଦ୍ଧ ଶେଷ କରିବାକୁ କୁହାଯାଇଛି । ହେଲେ ଏହି ପ୍ରସ୍ତାବକୁ ଟ୍ରମ୍ପ ପ୍ରଶାସନ ଭିତରେ ବି ବିରୋଧର ସମ୍ମୁଖୀନ ହେବାକୁ ପଡୁଛି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତରଫରୁ ଜଣେ ପ୍ରଶାସନିକ ଅଧିକାରୀ ଆମେରିକା ଯାଇ ଟ୍ରମ୍ପ ପ୍ରଶାସନ ସହ ଆଲୋଚନା କରିଥିଲେ । ଏହାପରେ ମସ୍କୋ ସହ ଆଲୋଚନା କରିଥିବା ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଷ୍ଟିଭ ଓ୍ବେଟକଫ ହ୍ବାଇଟ ହାଉସରେ ଟ୍ରମ୍ପଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।
ଓ୍ବେଟକଫ କହିଛନ୍ତି, ଯୁଦ୍ଧ ବନ୍ଦର ସବୁଠାରୁ ସଠିକ ରାସ୍ତା ହେଲା, ୨୦୨୨ରେ ଅବୈଧ୍ୟ ଭାବେ ଜବରଦଖଲ ହୋଇଥିବା ଋଷର ୪ଟି କ୍ଷେତ୍ରକୁ ପୁଣି ଋଷକୁ ଫେରାଇ ଦିଆଯାଉ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଓ୍ବେଟକଫ ପୂର୍ବରୁ ଏକ ପୋଡ଼କାଷ୍ଟ ସମୟରେ ଏହି ପ୍ରସ୍ତାବ ଦେଇଥିବା ବେଳେ ୟୁକ୍ରେନ ଏହାକୁ ଖାରଜ କରି ଦେଇଥିଲା । କିଛି ଆମେରିକୀୟ ଓ ୟୁରୋପୀୟ ଅଧିକାରୀ ଏହା ଅଧିକ ହୋଇଯିବ ବୋଲି କହୁଛନ୍ତି ।
ଅନ୍ୟପକ୍ଷରେ ହ୍ବାଇଟ ହାଉସ ବୈଠକରେ ଉପସ୍ଥିତ ଅନ୍ୟତମ ସ୍ବତନ୍ତ୍ର ପ୍ରତିନିଧି ଜେନେରାଲ କିଥ କେଲିଗ, ଓ୍ବେଟକଫଙ୍କ ପ୍ରସ୍ତାବକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ୟୁକ୍ରେନ ଏହି ବିବାଦୀୟ ଜମିକୁ ନେଇ କିଛି ସର୍ତରେ ଆଲୋଚନା କରିବାକୁ ରାଜି ହୋଇପାରେ । ହେଲେ, କେବେ ବି ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଋଷକୁ ଦେବାକୁ ରାଜି ହେବନାହିଁ ।