ଭାରତରେ ପହଞ୍ଚିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ୨ ଦିନିଆ ଭାରତ ଗସ୍ତରେ ଆସି ଅହମ୍ମଦାବାଦରେ ପହଞ୍ଚିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଆଜି ସକାଳେ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଆଜି ସେ ଗାନ୍ଧି ଆଶ୍ରମ, ଅକ୍ଷରଧାମ ମନ୍ଦିର ସହିତ ଗୁଜରାଟ ବାୟୋଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟରୁ ସଫ୍ଟଓୟାର କ୍ଷେତ୍ରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକାଧିକ ଦ୍ବିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହେବ । ଉଭୟ ଦେଶ ମଧ୍ୟରେ ୧ ବିଲିୟନର ଚୁକ୍ତି ସ୍ବାକ୍ଷରିତ ହେବାର ରହିଛି ।  ଋଷ – ୟୁକ୍ରେନ ଯୁଦ୍ଧ ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଉଭୟପକ୍ଷ ଆଲୋଚନା କରିବେ । ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାମରିକ ଓ ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରିବେ ଜନସନ୍ ।

ବ୍ରିଟେନରେ ଖଲିସ୍ତାନୀ ସଂଗଠନ ସହ ଜଡ଼ିତ ସଦସ୍ୟମାନଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ କଥା ଭାରତ ଉଠାଇବା । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନ ଠାରେ ଦାବି କରିବ ନୂଆଦିଲ୍ଲୀ । ତେବେ, ଦ୍ବିପାକ୍ଷିକ ବାଣିଜ୍ୟିକ ସଂପର୍କ ବୃଦ୍ଧି ମୋଦି-ଜନସନଙ୍କ କଥାବାର୍ତ୍ତାରେ ପ୍ରମୁଖ ଭାବେ ସ୍ଥାନ ପାଇବ । ଭାରତୀୟ ବଜାରରେ ଅଧିକ ପ୍ରବେଶ ଅଧିକାର ଚାହୁଁଛି ବ୍ରିଟେନ୍ । ଗସ୍ତର ପ୍ରଥମ ଦିନରେ ଆଜି ଜନସନ୍ ଗୁଜରାଟ ଦୁଗ୍ଧ ଶିଳ୍ପ ପ୍ରତିନିଧିଙ୍କୁ ଭେଟିବେ ।