ସହକର୍ମୀଙ୍କୁ ଚୁମ୍ବନ ଓ ଆଲିଙ୍ଗନ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମଟ୍ ହାନକକ୍

ନୂଆଦିଲ୍ଲୀ: ମହଙ୍ଗା ପଡିଲା ଚୁମ୍ବନ ଓ ଆଲିଙ୍ଗନ । ପଦବୀ ହରାଇଲେ ବ୍ରିଟେନର ସ୍ବାସ୍ଥ୍ୟ ମନ୍ତ୍ରୀ ମଟ୍ ହାନକକ୍  । କରୋନା ନିୟମ ଉଲ୍ଲଂଘନ କରି ସେ ଜଣେ ଅନ୍ତରଙ୍ଗ ସହକର୍ମୀଙ୍କୁ ଚୁମ୍ବନ ଦେବା ସହ ଆଲିଙ୍ଗନ କରୁଥିବା ଫଟୋ ଭାଇରାଲ ହେବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦ ଦାୟିତ୍ବ ନେବେ ।

ସାରା ଦେଶରେ କରୋନା ଭାଇରସ ମୁକାବିଲା ଲାଗି ଟିକାକରଣ ଚାଲିଥିବାବେଳେ ବିବାଦୀୟ ହାନକକ୍, ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । କୋଭିଡ ମହାମାରୀ ସମୟରେ ଯେଉଁମାନେ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ପ୍ରତି ସେ ସମ୍ମାନ ଜଣାଇବା ସହ ନିଜେ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଥିବା ସ୍ବୀକାର କରିଛନ୍ତି ।

ତେବେ ହାନକକଙ୍କ ଇସ୍ତଫା ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଉଲ୍ଲେଖନୀୟ ସେବା ଲାଗି ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ତାଙ୍କ ଇସ୍ତଫା ପରେ ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦଙ୍କ ନିଯୁକ୍ତିକୁ ମଞ୍ଜୁର ଦେଇଛନ୍ତି ରାଣୀ ଏଲିଜାବେଥ ଦ୍ବିତୀୟ । ହାନକକଙ୍କ ବିବାଦୀୟ ଫଟୋକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ ।

Leave a Reply