ନନ୍ଦିଘୋଷ ବ୍ୟୁରୋ : ୧୦ ବର୍ଷ ସାତ ମାସ। ୧୦ ବର୍ଷ ୭ ମାସ ତଳେ ୟୁରୋପୀୟ ସଂଘରୁ ଅଲଗା ହୋଇଥିଲା ବ୍ରିଟେନ ଏବଂ ବର୍ତ୍ତମାନ ପୁଣି ଥରେ ୟୁରୋପୀୟ ସଂଘରେ ଯୋଗ ଦେବାକୁ ଏହି ଦେଶ ଇଚ୍ଛା ପ୍ରକାଶ କରିଛି। କାରଣ ଏହି ଦେଶ ହୃଦୟଙ୍ଗମ କରିଛି ଯେ, ୟୁରୋପୀୟ ୟୁନିଅନରୁ ଅଲଗା ହେବା ପରେ ଲାଭ ବଦଳରେ କ୍ଷତି ହୋଇଛି ଅଧିକ। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହମ୍ ଙ୍କୁ ଏକ ସାକ୍ଷାତକାର ପଚରା ଯାଇଥିଲା ଯେ, ୟୁରୋପ ସହିତ ବ୍ରିଟେନର ସଂପର୍କ କେମିତି ରହିବ। ସେ କହିଥିଲେ, ବ୍ରିଟେନ ପୁଣି ଥରେ ୟୁରୋପୀୟ ସଂଘକୁ ଫେରିପାରେ। ତାଙ୍କର ଏହି ମନ୍ତବ୍ୟ ପରେ ବ୍ରିଟେନ ପୁଣି ଥରେ ୟୁରୋପୀୟ ସଂଘକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ବ୍ରିଟେନ ବି ଏହା ଚାହୁଁଥିବା ଜଣାପଡ଼ିଛି। ଆଣ୍ଡିଙ୍କ ଏହି ମନ୍ତବ୍ୟ ପରେ ଫ୍ରାନସର ରାଷ୍ଟ୍ରପତି ମାକ୍ରନ କହିଛନ୍ତି, ଫେରି ଆସ। ବ୍ରିଟିଶ୍ ମାନେ ଯଦି EU କୁ ଫେରିବାକୁ ଚାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ସେହି ଦିଗରେ ଆଗକୁ ବଢ଼ୁଛନ୍ତି, ତେବେ ଏହା ବ୍ରିଟେନ୍ ଓ ୟୁରୋପ ଉଭୟ ପାଇଁ ଭଲ ଖବର। ଫେରି ଆସିଲେ ସ୍ଵାଗତ କରାଯିବ ବୋଲି କହିଥିଲେ ମାକ୍ରନ। ବର୍ନହମ୍ ଶାସକ ଲେବର୍ ପାର୍ଟିର ବାର୍ଷିକ ସମ୍ମିଳନୀରେ EU ସହ ଭବିଷ୍ୟତ ସମ୍ପର୍କ ନେଇ “ବିଭିନ୍ନ ବିକଳ୍ପ” ଉପସ୍ଥାପନ କରିବେ ବୋଲି କହିଥିଲେ। ୨୦୧୬ ରେ ବ୍ରିଟେନ ୟୁରୋପୀୟ ସଂଘରୁ ସଂପର୍କ ଛିନ୍ନ କରିଥିଲା। ଦେଶବାସୀ ଏକ ଜନମତରେ ଏହା ସପକ୍ଷରେ ମତ ଦେଇଥିଲେ। ସେହି ଦିନରୁ ବ୍ରିଟେନରେ ଲାଗି ରହିଛି ଅସ୍ଥିରତା। ୧୦ ବର୍ଷରେ ୭ ଜଣ ପ୍ରଧାନମନ୍ତ୍ରୀ ବି ବଦଳିଲେଣି। ଯେଉଁମାନେ ବ୍ରେକଜିଟ୍ ସପକ୍ଷରେ ମତ ଦେଇଥିଲେ ସେମାନେ ବି ହାର୍ ମାନିଛନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଏହି ୧୦ ବର୍ଷ ଭିତରେ ଉଭୟ ରାଜନୈତିକ, ଜିଓ ପଲିଟିକାଲ ଓ ବାଣିଜ୍ୟ ଦୃଷ୍ଟିରୁ ବ୍ରିଟେନ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ତେଣୁ ଡେରିରେ ହେଉ ପରେ ବୁଦ୍ଧି ଉଦୟ ହୋଇଛି। ଏକାକୀ ରହିଲେ ଲାଭ ଅପେକ୍ଷ କ୍ଷତି ଅଧିକ ବୋଲି ଜାଣିବା ପରେ ପୁଣି ଥରେ ୟୁରୋପୀୟ ସଂଘରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି ବ୍ରିଟେନ। …

