ବ୍ରିଟେନରେ ଋଷି ସୁନକଙ୍କ ଶାସନର ଅନ୍ତ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି କେର ଷ୍ଟାରମର

1 min read

ନୂଆଦିଲ୍ଲୀ: ବ୍ରିଟେନ ସାଧାରଣ ନିର୍ବାଚନରେ ପରାଜିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । କଞ୍ଜରଭେଟିବ ପାର୍ଟିର ସୁନକଙ୍କୁ ବିପୁଳ ବ୍ୟବଧାନରେ ହରାଇ ଲେବର ପାର୍ଟିର କେର ଷ୍ଟାରମର ହେବାକୁ ଯାଉଛନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ସୁନକଙ୍କ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ, ସ୍ୱପ୍ନରେ ରହିଯାଇଛି ।

ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା । ଫଳାଫଳ ଅନୁସାରେ, କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଛି । ଫଳରେ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟିଛି । ସେପଟେ ଦେଢ଼ ଦଶନ୍ଧି ପରେ ସତ୍ତାକୁ ଫେରିଛି ଲେବର୍ ପାର୍ଟି ।

ବ୍ରିଟେନରେ ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମନ୍ସ ପାଇଁ ମ୍ୟାଜିକ୍ ନମ୍ବର ୩୨୬ ଥିବା ବେଳେ ଲେବର୍ ପାର୍ଟି ୩୫୮ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି । ସେପଟେ ସୁନକଙ୍କ ପାର୍ଟିକୁ ୮୧ଟି ଆସନ ମିଳିଥିବା ବେଳେ ବାକି ଆସନରେ ଅନ୍ୟମାନେ ଜିତିଛନ୍ତି ।

ତେବେ କଞ୍ଜରଭେଟିଭ ପାର୍ଟିର ୮ ଜଣ କ୍ୟାବିନେଟ ମନ୍ତ୍ରୀ ପରାସ୍ତ ହୋଇଛନ୍ତି । ସୁନକ ଉତ୍ତର-ପୂର୍ବ ଇଂଲଣ୍ଡର ରିଚମୋଣ୍ଡ ଓ ନର୍ଥାଲେରୋଟନ ଆସନ ବଜାୟ ରଖିବା ସହ ୪୭.୫% ଭୋଟ୍ ପାଇଛନ୍ତି ।

୪୪ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ମଧ୍ୟ ସମଗ୍ର ଏସିଆ ମହାଦେଶରୁ ପ୍ରଥମ, ଯିଏକି ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୨୦୨୨ରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁନକ ।

ଏହା ପୂର୍ବରୁ ସେ ବୋରିସ ଜନସନଙ୍କ ସରକାରରେ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ଥିଲେ । ତେବେ ସୁନକ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା ।

ନିର୍ବାଚନରେ ପରାଜୟ ସ୍ବୀକାର କରିଛନ୍ତି ଋଷି ସୁନକ । ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବା ସହ କେର ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୧୯୯୭ରେ ଲେବର ପାର୍ଟି ସର୍ବାଧିକ ୪୧୮ଟି ଆସନରେ ବିଜୟୀ ହୋଇଥିଲା । ଟୋନି ବ୍ଲେୟାର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୯ ରେ କିନ୍ତୁ ବୋରିସ ଜନସନଙ୍କ ନେତୃତ୍ବରେ କନଜରଭେଟିଭ ପାର୍ଟି ଜିତିଥିଲା । ବିଭିନ୍ନ ବିବାଦକୁ ନେଇ ସେ ଇସ୍ତଫା ଦେଇଥିଲେ ଏବଂ ରିଷି ସୁନକ୍ ପ୍ରଧାନମନ୍ତ୍ରୀ ହୋଇଥିଲେ । ପାର୍ଲାମେଣ୍ଟର ଅବଧି ସରି ନଥିଲେ ମଧ୍ଯ ୬ ମାସ ଆଗରୁ ନିର୍ବାଚନ କରାଇଥିଲେ ଋଷି ସୁନକ । ଯାହା ତାଙ୍କୁ ବୁମେରାଂ ସାବ୍ଯସ୍ତ ହୋଇଛି । ବ୍ରିଟେନ ସାଧାରଣ ନିର୍ବାଚନରେ ଏଥରର ମୁଖ୍ଯ ପ୍ରସଙ୍ଗ ରହିଥିଲା ଅର୍ଥନୀତି, ଟ୍ଯାକ୍ସ, ଇମିଗ୍ରେସନ । ଦୁଇ ପ୍ରମୁଖ ଲେବର ପାର୍ଟି ଓ କଞ୍ଜରଭେଟିବ ପାର୍ଟିକୁ ଛାଡ଼ି ନିର୍ବାଚନ ଲଢୁଥିବା ଅନ୍ଯ ଦଳଗୁଡ଼ିକ ହେଲେ ସ୍କଟିସ୍ ନ୍ଯାସନାଲ ପାର୍ଟି, ଡେମୋକ୍ରାଟିକ ୟୁନିୟନିଷ୍ଟ ପାର୍ଟି ଓ ଲିବେରାଲ ଡେମୋକ୍ରାଟ୍ସ ।