ମଧ୍ୟପ୍ରଦେଶ ଉଜ୍ଜୟିନୀ ଦୁଷ୍କର୍ମ ଘଟଣା, ସହାୟତା କରି ନଥିବା ଲୋକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

1 min read

ଉଜ୍ଜୟିନୀ: ମଧ୍ୟପ୍ରଦେଶ ଉଜ୍ଜୟିନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା । ଦୟନୀୟ ଅବସ୍ଥାରେ ଯାଉଥିବା ସତ୍ତ୍ବେ ଯେଉଁ ଲୋକମାନେ ତାଙ୍କୁ ସହାୟତାର ହାତ ବଢାଇ ନଥିଲେ ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଶିଶୁ ଯୌନ ନିର୍ଯାତନା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଝିଅଟି ରକ୍ତାକ୍ତ ଓ ଅର୍ଦ୍ଧନଗ୍ନ ଅବସ୍ଥାରେ ଦ୍ବାର ଦ୍ବାର ବୁଲି ସହାୟତା ମାଗିଥିଲେ ବି କେହି ତାଙ୍କୁ ସହାୟ ହୋଇ ନଥିଲେ । ମଧ୍ୟପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ପୋସ୍କୋ ଆଇନ ଅନୁସାରେ ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ଉଜ୍ଜୟିନୀର ଅତିରିକ୍ତ ପୋଲିସ ଏସପି ଜୟନ୍ତ ସିଂ ରାଠୋଡ କହିଛନ୍ତି- ଜଣେ ଅଟୋ ଡ୍ରାଇଭର ନାବାଳିକାକୁ ଦେଖି ସୁଦ୍ଧା ପୋଲିସକୁ ସୂଚନା ଦେଇ ନଥିଲା । ସିସିଟିଭି ଭିଜୁଆଲ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ । ନାବାଳିକାଜଣକ ରାସ୍ତାରେ ସାହାଯ୍ୟ ମାଗି ମାଗି ଯାଉଥିଲେ ବି କେତେକ ଲୋକ ନଦେଖିବା ପରି ଚାଲିଯାଇଥିଲେ । ୭ରୁ ୮ ଜଣ ଲୋକ ତାଙ୍କୁ କିଛି ଟଙ୍କା ଦେଇଥିଲେ । ସେପଟେ ଏହି ଘଟଣାର ତଦନ୍ତ ଜାରି ରଖିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ । ତେଣେ ଅଭିଯୁକ୍ତ ଭରତ ସୋନିଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ତାଙ୍କ ବାପା ରାଜୁ ସୋନି । ସେ କହିଛନ୍ତି ତାଙ୍କ ପୁଅ ଏହି ଘୃଣ୍ୟ କାର୍ଯ୍ୟ କରିଛି । ତେଣୁ ସେ ଫାଶୀଖୁଣ୍ଡରେ ଝୁଲିବା ଦରକାର । ଏହି ଦୁଷ୍କର୍ମ ଘଟଣାରେ ଗତ ୨୮ ତାରିଖରେ ଭରତକୁ ଗିରଫ କରିଥିଲା ପୋଲିସ । ଉଜ୍ଜୟିନୀ ବାର କାଉନସିଲ ସଭାପତି ଅଶୋକ ଯାଦବ କହିଛନ୍ତି ଭରତକୁ କେହି ଆଇନଗତ ସହାୟତା ନ କରିବା ଲାଗି ବାରର ସମସ୍ତ ସଦସ୍ୟଙ୍କୁ ଆହ୍ବାନ ଦିଆଯାଇଛି ।