ୟୁଜିସି ଚିଠା ପ୍ରସ୍ତାବକୁ ନେଇ କଡ଼ା ବିରୋଧ,ଶୈକ୍ଷିକ ବାତାବରଣ ନା ରାଜନୀତିର ପ୍ରୟୋଗଶାଳା ହେବ ୟୁନିଭରସିଟି ?

ନନ୍ଦିଘୋଷ ବ୍ୟୁରୋ: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନୂଆ ଚିଠା ପ୍ରସ୍ତାବକୁ ନେଇ ତେଜିଲାଣି ବିବାଦ । କୁଳପତି ନିଯୁକ୍ତିରେ ଶିକ୍ଷାବିତଙ୍କ ବ୍ୟତୀତ ପ୍ରଶାସନିକ ଅଧିକାରୀ, ଶିଳ୍ପ ଜଗତର ବଡ଼ ପଣ୍ଡାଙ୍କୁ ନିଯୁକ୍ତି ଗ୍ରହଣୀୟ ନୁହେଁ । ନୂଆ ଚିଠା ପ୍ରସ୍ତାବ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରଘାତ । ଅଭିଯୋଗ ଉଠିଛି କେନ୍ଦ୍ର ସରକାର ୟୁଜିସି ନିୟମରେ ପରିବର୍ତ୍ତନ କରି ପରୋକ୍ଷରେ ବିଶ୍ବବିଦ୍ୟାଳୟରେ ସମାନ୍ତରାଳ ଭାବେ କା’ ସରକାର ଚଳାଇବାକୁ ଚାହୁଁଛନ୍ତି । ଏପରି ଅଦୂରଦର୍ଶୀ ଚିଠା ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ପୂର୍ବତନ କୁଳପତି ଓ ବିଶିଷ୍ଟ ଶିକ୍ଷାବିତ ଦାବି କରିଛନ୍ତି ।

ବିଶ୍ବବିଦ୍ୟାଳୟ ଗୋଟିଏ ଗବେଷଣା ଅନୁଷ୍ଠାନ । କେବେ ବି ଏହା ରାଜନୈତିକ ପ୍ରୟୋଗଶାଳା ହୋଇପାରିବନି । ବିପଦରେ ଆଗକୁ ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣ ! କୁଳପତି ନିଯୁକ୍ତି ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିଙ୍କ ନୂଆ ଚିଠା ପ୍ରସ୍ତାବ ବିଗାଡ଼ିବ ଶୈକ୍ଷିକ ବାତାବରଣ । ଏପରି ଅଭିଯୋଗ କରିଛନ୍ତି ବିଶିଷ୍ଟ ଶିକ୍ଷାବିତ ଓ ତଥା ପୂର୍ବତନ କୁଳପତି । ପୂର୍ବରୁ ଯାହା ନିୟମ ରହିଛି,  ଶିକ୍ଷାବିତ କୁଳପତି ଭାବେ ଚୟନ ହୋଇଆସୁଛନ୍ତି । ଏହି ବ୍ୟବସ୍ଥା ବିଶ୍ବବିଦ୍ୟାଳୟର ଉତ୍କର୍ଷତା ଆଣିଛି । କଣ ଆବଶ୍ୟକ ପଡ଼ିଲା ୟୁଜିସି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ? ଏହାର ସ୍ପଷ୍କୀକରଣ କେନ୍ଦ୍ର ସରକାର ଦେବା ଦରକାର ।  ବ୍ୟବସ୍ଥାରେ ସ୍ବଚ୍ଛତା ପାଇଁ ଯେତେ ନିୟମ ଆସିବ ସ୍ବାଗତଯୋଗ୍ୟ ।

କିନ୍ତୁ କୌଣସି ସ୍ଥିତିରେ ଶିଳ୍ପପତି, ପ୍ରଶାସନିକ ଅଧିକାରୀ କିମ୍ବା ସର୍ଚ୍ଚ କମିଟି ଦ୍ବାରା ମନୋନୀତ ବ୍ୟକ୍ତି କୁଳପତି ଭାବେ ନିଯୁକ୍ତି ହେବା ଗ୍ରହଣୀୟ ନୁହେଁ । ବିଶିଷ୍ଟ ଶିକ୍ଷାବିତଙ୍କ ମତ, ଚିଠା ପ୍ରସ୍ତାବରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ନେଇ ଯେଉଁ ନୂଆ ବ୍ୟବସ୍ଥା ଦିଆଯାଇଛି ତାହା ସ୍ବାଗତଯୋଗ୍ୟ । କୁଳପତି ଚୟନ ନେଇ ଅନ୍ୟୁନ ଜଣେ ଶିକ୍ଷାବିତଙ୍କର ୧୦ ବର୍ଷ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବା ଅଭିଜ୍ଞତା ଥିବ । ଏହି ବ୍ୟବସ୍ଥା ପୂର୍ବରୁ ଚାଲିଆସିଛି । ବିଶ୍ବବିଦ୍ୟାଳୟର ସିନେଟ୍, ଏକାଡେମିକ କାଉନସିଲ୍ ଓ ସିଣ୍ଡିକେଟ୍ରେ ଅନ୍ୟ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତି ସଦସ୍ୟ ଭାବେ ରହିଲେ ଅସୁବିଧା ନାହିଁ । କିନ୍ତୁ କୌଣସି ସ୍ଥିତିରେ କୁଳପତି ଭାବେ ନିଯୁକ୍ତି ଦେବା ଯୁକ୍ତିଯୁକ୍ତ ନୁହେଁ ।

ଚିଠା ପ୍ରସ୍ତାବକୁ ନେଇ ବିଶିଷ୍ଟ ଶିକ୍ଷାବିତ ଡ.ସୁରେନ୍ଦ୍ର ନାଥ ପଶୁପାଳକ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ବରରେ ପ୍ରଶ୍ନ କରିଛନ୍ତି । କୁଳପତି ଚୟନରେ ଅଣଶିକ୍ଷାବିତଙ୍କୁ ନିଯୁକ୍ତ କରି କେନ୍ଦ୍ର ସରକାର ସମାନ୍ତରାଳ ଭାବେ ଗୋଟିଏ କା’ ସରକାର ଚଳାଇବାକୁ ଉଦ୍ୟମ କରୁଛନ୍ତି । ଏପରି ନିୟମ ଦ୍ବାରା ରାଜ୍ୟ ବିଶ୍ବବିଦ୍ୟାଳୟ ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ବ ରହିବ ନାହିଁ । ଏହା ସଂଘୀୟ ବ୍ୟବସ୍ଥା ପ୍ରତି କେନ୍ଦ୍ର ସରକାରଙ୍କ କୁଠାରଘାତ । ଏପରି କରି ସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟକୁ ନିଜ କବଜାକୁ ନେବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଚିଠା ପ୍ରସ୍ତାବରେ ଲେଖାଅଛି ପ୍ରଶାସନିକ ଅଧିକାରୀ, ଶିଳ୍ପ ଜଗତରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତିଙ୍କର ନେତୃତ୍ବ ନେବାର ଦକ୍ଷତା ରହିଛି ।

ଯାହା ଶିକ୍ଷାବିତଙ୍କ ପ୍ରତି ଚରମ ଉପହାସ । ଏହାର ଅର୍ଥ ଏ ପର୍ଯ୍ୟନ୍ତ ଯେତେ କୁଳପତି, ଆଇଆଇଟି, ଆଇଆଇଏମ୍ ପରି ଉତ୍କର୍ଷ ଅନୁଷ୍ଠାନରେ କୁଳପତି ବା ନିର୍ଦ୍ଦେଶକ ଭାବେ ଶିକ୍ଷାବିତ ନିଯୁକ୍ତି ହୋଇଛନ୍ତି ସେମାନଙ୍କର ନେୃତ୍ବତ୍ବ ନେବାର ଦକ୍ଷତା ନାହିଁ ବୋଲି କଣ କେନ୍ଦ୍ର ପ୍ରମାଣିତ କରୁଛି ? ଯେଉଁଠି ବି ପୂର୍ବରୁ ବିଶ୍ବବିଦ୍ୟାଳୟରେ ପ୍ରଶାସନିକ ଅଧିକାରୀ, ନୀତି ନିର୍ଦ୍ଧାରକ ନିଯୁକ୍ତ ହୋଇଛନ୍ତି ସେଠାରେ ପ୍ରଶାସନିକ ବ୍ୟବସ୍ଥା ଠିକ୍ଠାକ୍ ଥିଲେ ବି ଶୈକ୍ଷିକ ବ୍ୟବସ୍ଥାରେ କିଛି ଉନ୍ନତି ହୋଇନି । ଘରୋଇ ବିଶ୍ବବିଦ୍ୟାଳୟ ବିଲ୍ ରାଜ୍ୟ ବିଧାନସଭାରେ ପାରିତ ହୋଇଥାଏ । ତାହେଲେ ଚିଠା ପ୍ରସ୍ତାବ ବ୍ୟବସ୍ଥା ଘରୋଇ ବିଶ୍ବବିଦ୍ୟାଳୟ କୁଳପତି ଚୟନରେ ଲାଗୁ ହେବ କି? ଏପରି ଅପରିଣାମଦର୍ଶୀ ଚିଠାକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ଉଠିଛି ।

ଭାରତୀୟ ବିଶ୍ବବିଦ୍ୟାଳୟ ବିଶ୍ବସ୍ତରରେ ଉତ୍କର୍ଷର ମାନ୍ୟତା ପାଇବା ପାଇଁ ଏବେ ବି ସଂଗ୍ରାମ ଜାରି ରହିଛି । ବିକଶିତ ଭାରତରେ ବିଶ୍ବବିଦ୍ୟାଳୟ ଉତ୍କର୍ଷତା ହାସଲ ପାଇଁ ଗବେଷଣା ଜରୁରୀ । ଯଦି କେନ୍ଦ୍ର ସରକାର ଶୈକ୍ଷିକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାକୁ ଚାହୁଁଛନ୍ତି ତାହେଲେ ୟୁଜିସିର ଚିଠା ପ୍ରସ୍ତାବରେ ଥିବା କୁଳପତି ଚୟନ ବ୍ୟବସ୍ଥାକୁ ପୁରୁଣା ନିୟମ ଅନୁଯାୟୀ ଜାରି ରଖିବାକୁ ସବୁ ମହଲରେ ଦାବି ଉଠିଛି ।