ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ବିଜେଡ଼ି ସାଂସଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ଦାବି ପରେ ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି । ଏଥିସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି ୟୁଜିସି । ଏହା ନିଶ୍ଚିତ ଭାବେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ।

ଏହା ବିଶ୍ବବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କର ସାମଗ୍ରିକ ବିକାଶ ପାଇଁ ସହାୟକ ହେବ । ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ର ମହାବିଦ୍ୟାଳକୁ ବିଶ୍ବ ବିଦ୍ୟାଳୟ ଭାବେ ଘୋଷଣା କରିଥିଲେ । ୨୦୨୧ରେ ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି ହୋଇସାରିଛନ୍ତି । କିନ୍ତୁ ଏହାକୁ ୟୁଜିସି ବିଶ୍ବ ବିଦ୍ୟାଳୟର ମାନ୍ୟତା ଦେବାରେ ବିଳମ୍ବ କରିଥିଲା । ଏସମ୍ପର୍କରେ ରାଜ୍ୟସଭା ସାଂସଦ ସୁବାସ ସିଂହ ଗୃହର ଶୂନ୍ୟକାଳରେ ଉଠାଇବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ହୋଇଥିଲା ।

ଏନେଇ ଆଜି ରାଜ୍ୟସଭା ସାଂସଦ ସୁବାସ ସିଂ, ସାଂସଦ ମୁନ୍ନା ଖାଁ ଏବଂ ମମତା ମହନ୍ତ ପ୍ରମୁଖ ଏକ ପ୍ରତିନିଧି ଦଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ୟୁଜିସି ପକ୍ଷରୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରାଯାଇଛି ।

Leave a Reply