ଉଚ୍ଚ ଶିକ୍ଷାନୁଷ୍ଠାନରେ ଜଙ୍କ ଫୁଡ ବିକ୍ରି କରିବା ମନା

1 min read

ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଜଙ୍କ ଫୁଡ୍ ବିକ୍ରି କରୁଥିଲେ ହୋଇଯାଆନ୍ତୁ ସାବଧାନ । ଆଉ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ, ହଷ୍ଟେଲ, କ୍ୟାଣ୍ଟିନରେ ବିକ୍ରି ହୋଇପାରିବନି ଜଙ୍କ ଫୁଡ୍ । ବାରମ୍ବାର ତାଗିଦ କରୁଥିଲା ୟୁଜିସି । ଏବେ ପୁଣି ୟୁଜିସି ଲଗାଇଛି ବଡ଼ ଅଙ୍କୁଶ । ନିୟମ ମାନିବା ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ସୁଆଦିଆ ଖାଦ୍ୟ ଦେବାକୁ ଗୁରୁତ୍ବ ଦିଆଯାଇଛି ।

ସରକାରୀ ହେଉ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ କିମ୍ବା ଏହା ଅଧୀନସ୍ଥ ମହାବିଦ୍ୟାଳୟ । କେଉଁଠି ବି ବିକ୍ରି ହୋଇପାରିବନି ଜଙ୍କ ଫୁଡ୍ । ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ, ହଷ୍ଟେଲ, କ୍ୟାଣ୍ଟିନରେ ବି ବିକ୍ରି ହୋଇପାରିବନି ଜଙ୍କ ଫୁଡ୍ । ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ଲାଗିଲା ରୋକ । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ବେ ନିୟମ ମାନୁ ନଥିଲେ ଉଚ୍ଚ ଶିକ୍ଷାନୁଷ୍ଠାନ । ଏବେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଜଙ୍କ୍ ଫୁଡ୍ ଖାଇବା ଦ୍ବାରା ଛାତ୍ରଛାତ୍ରୀ ଭବିଷ୍ୟତରେ ଡାଇବେଟିସ୍, ହାଇପର୍ଟେନସନ୍ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ନ୍ୟାସନାଲ ଆଡଭୋକେସି ଇନ୍ ପବ୍ଲିକ ଇଣ୍ଟ୍ରେଷ୍ଟର ଅନୁରୋଧ ପରେ ଏଭଳି ନିଷ୍ପତ୍ତି ନେଇଛି ୟୁଜିସି । ଏଥିସହ ୨୦୧୬ ନଭେମ୍ବର ୧୦ ଓ ୨୦୧୮ ଅଗଷ୍ଟ ୨୧ରେ ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟଗୁଡ଼ିକୁ ଦିଆଯାଇଥିବା ନିୟମ ପାଳନ କରିବାକୁ କୁହାଯାଇଛି ।

ଆଇସିଏମ୍ଆର ୨୦୨୦-୨୩ ରିପୋର୍ଟ ଅନୁସାରେ, ସାରା ଦେଶରେ ଏବେ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଉଛି । ପ୍ରତି ୪ ଜଣରୁ ଜଣଙ୍କଠାରେ ଡାଇବେଟିସ୍, ପ୍ରି-ଡାଇବେଟିସ୍ ପରି ଲକ୍ଷଣ ଦେଖିବାକୁ ମିଳୁଛି । ଉଚ୍ଚ ଶିକ୍ଷାନୁଷ୍ଠାନରେ ମିଳୁଥିବା ଖାଦ୍ୟ ଗ୍ରହଣ କରିବା ଦ୍ବାରା ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଶିକ୍ଷାନୁଷ୍ଠାନ କ୍ୟାଣ୍ଟିନରେ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା ଲଗାଯିବା ଯିବା ସହ ସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି । ପିଲାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ବିଶ୍ବବିଦ୍ୟାଳୟ ଗୁଡ଼ିକ ତଥ୍ୟ ସଂଗ୍ରହ କରି ରଖିବେ । ବିଶ୍ବବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯିବ । ଷ୍ଟୁଡେଣ୍ଟ ୱେଲଫେୟାର ବିଭାଗ ଅଧୀନରେ ୱେଲନେସ କ୍ଲଷ୍ଟର ତିଆରି ହେବ । ଯେଉଁଥିରେ ପୃଷ୍ଟିସାର ଖାଦ୍ୟ, ବ୍ୟାୟାମ, ସ୍ବାସ୍ଥ୍ୟ ସମ୍ପର୍କରେ କାଉନସେଲିଂ କରାଯିବ । ଏହି କ୍ଲଷ୍ଟର ଦ୍ବାରା ଛାତ୍ରଛାତ୍ରୀଙ୍କୁ ମାନସିକ ସହାୟତା ସହ ମୋଟାପଣ ହ୍ରାସ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯିବ । ତେବେ ଅନେକ ସମୟରେ କ୍ୟାଣ୍ଟିନ ଗୁଡିକ ଗୁଣାତ୍ମକ ଖାଦ୍ୟ ଦେଉ ନଥିବା ଅଭିଯୋଗ ହେଉଛି । କଲେଜ କ୍ୟାଣ୍ଟିନରେ ଭଲ ଓ ସୁଆଦିଆ ଖାଦ୍ୟ ନ ମିଳିବାରୁ, ଛାତ୍ରଛାତ୍ରୀମାନେ ଜଙ୍କ ଫୁଡ ପ୍ରତି ଆକର୍ଷିତ ହେଉଛନ୍ତି ।

ୟୁଜିସିର ଏଭଳି କଡ଼ା କଟକଣା ପରେ ଉତ୍ତମ ମାନର ଖାଦ୍ୟ ଦେବାରେ ସଜାଗ ହେବେ କ୍ୟାଣ୍ଟିନ । ଏହାସହ କ୍ୟାମ୍ପସରେ ଯେଉଁ ସବୁ ଦେକାନୀ ମନଇଚ୍ଛା ଜଙ୍କ ଫୁଡ ବିକ୍ରି କରୁଥିଲେ, ଏବେ ସେମାନଙ୍କୁ ଦୂରେଇବେ ଉଚ୍ଚ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ । ଯଦି କେହି ନିୟମ ଖିଲାପ କରନ୍ତି, ତେବେ ସେମାନଙ୍କୁ ଭୋଗିବାକୁ ପଡ଼ିବ ୟୁଜିସି ଛାଟ ।