ବିଶ୍ଵବିଦ୍ୟାଳୟ ଗୁଡ଼ିକୁ ତାଗିଦ କଲେ ୟୁଜିସି, ବନ୍ଦ କର ଏମ୍.ଫିଲ୍ ଆଡମିଶନ

1 min read

ଭୁବନେଶ୍ୱର: ଏମ.ଫିଲ କୋର୍ସ ଏବେ ଅତୀତ । ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଏମ.ଫିଲ କୋର୍ସ ବନ୍ଦ କରାଯାଇଛି । ଯେଉଁଥିପାଇଁ ଗତ ଦୁଇ ବର୍ଷରୁ ଏମ୍.ଫିଲ କୋର୍ସକୁ ଅଣସ୍ବୀକୃତ କରିଛି ୟୁଜିସି। ଯାହାକୁ ନୂତନ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରିଥିବା ରାଜ୍ୟ ସହ ଏହାକୁ ଲାଗୁ କରି ନଥିବା ରାଜ୍ୟ ବି ପାଳନ କରିବାକୁ ବାଧ୍ୟ । କାରଣ ବିଶ୍ବବିଦ୍ୟାଳୟ ଗୁଡ଼ିକର ନିୟନ୍ତ୍ରଣ ଶାଖା ହେଉଛି ୟୁଜିସି ।

ଏଥିପାଇଁ ଦେଶର ଅନେକ ବିଶ୍ବବିଦ୍ୟାଳୟ ୨୦୨୨ରୁ ଏମ୍.ଫିଲ ବନ୍ଦ କରି ଦେଇଛନ୍ତି। ହେଲେ ଏବେ ବି କିଛି ବିଶ୍ବବିଦ୍ୟାଳୟ ଏମ୍.ଫିଲ୍ କୋର୍ସ ପାଇଁ ଆବେଦନ ପ୍ରକ୍ରିୟା ଜାରି ରଖିଥିବା ଖବର ପାଇଛି ୟୁଜିସି। ଯାହାକୁ ନେଇ ୟୁଜିସି ଉଦବେଗ ପ୍ରକାଶ କରିଛନ୍ତି। ଏହାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୟୁଜିସି । ଛାତ୍ରଛାତ୍ରୀ ମାନଙ୍କୁ ବି ଏମ୍.ଫିଲ୍ ଆଡମିସନ ନ ନେବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଏମ.ଫିଲର ସେତେଟା ଆବଶ୍ୟକ ନଥିବା ନେଇ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ବି ଅନୁଭବ କରିଛି। ଯେଉଁଥିପାଇଁ ଦୁଇ ବର୍ଷ ତଳୁ ହିଁ ସମସ୍ତ ବିଶ୍ବବିଦ୍ୟାଳୟକୁ ଏମ.ଫିଲ୍ କୋର୍ସ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଥିଲା।

୨୦୨୨ରେ ଶେଷ ଥର ପାଇଁ ଏମ୍.ଫିଲରେ ପାସ୍ କରିଥିଲେ ରିସର୍ଚ୍ଚ ସ୍କଲାର। ସେ ସମୟରେ ଅଧ୍ୟକ୍ଷ ନିଯୁକ୍ତିରେ ଏମ.ଫିଲ୍ ପାଇଁ ଅଧିକ ମାର୍କ ବି ମିଳୁଥିଲା। ଏଥିପାଇଁ ପିଏଚଡି ପୂର୍ବରୁ ପ୍ରି-ରିସର୍ଚ୍ଚ ଭାବେ ଅଧିକ ଏକ ବର୍ଷ ପରିଶ୍ରମ କରୁଥିଲେ ଛାତ୍ରଛାତ୍ରୀ। ତେବେ ନୂତନ ଜାତୀୟ ଶିକ୍ଷା ନୀତିରେ ଏମ.ଫିଲ୍ ବନ୍ଦ ହେବାରୁ କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରାଯାଇନି । ଯାହା ଏମ.ଫିଲ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ଭିତରେ ଶିକ୍ଷାଗତ ନ୍ୟାୟ ପାଇବା ନେଇ ସନ୍ଦେହ ସୃଷ୍ଟି କରିଛି । ସେପଟେ ରାଜ୍ୟ ସରକାର ବି ଏମ୍.ଫିଲ୍ ସାରିଥିବା ଛାତ୍ରଛାତ୍ରୀମାନଙ୍କୁ ଗ୍ରେସ୍ ମାର୍କିଂ ମିଳିବା ନେଇ ଆଶା ରଖିଛନ୍ତି ।