କଲେଜରେ କ୍ଳାସ୍ କଲେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ: ଆସନ୍ତା ୧୫ରୁ ହେବ ପିଜି ପିଲାଙ୍କ କ୍ଳାସ୍

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଳାସ୍ । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରେ ସିଧା ଯୁକ୍ତ ତିନି ପ୍ରଥମ ବର୍ଷରେ ଶ୍ରେଣୀ ଗୃହରେ ବସି ପାଠ ପଢିବାର ସୁଯୋଗ ପାଇଛନ୍ତି ଛାତ୍ରଛାତ୍ରୀ । ଶ୍ରେଣୀଗୃହରେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ନିୟମିତ ବ୍ୟବଧାନରେ ହାତ ସଫା କରିବା ସହ ଶ୍ରେଣୀ ଗୃହ, ପାଠାଗାର ତଥା ଲାବୋରଟୋରୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ । କେହି କଲେଜ ବା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ବାହାରେ ଏଣେତେଣେ ଛେପ ପକାଇ ପାରିବେ ନାହିଁ । ତେବେ ପ୍ରଥମ ଦିନ କ୍ଳାସ ହୋଇନଥିବା ବେଳେ କେବଳ ଇଣ୍ଡକ୍ସନ କ୍ଳାସ କରି ପିଲାମାନଙ୍କୁ ଛାଡି ଦିଆଯାଇଛି ।

ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବରେ ପାଠପଢା ହେବ । ପ୍ରଥମ କରି ଅଫଲାଇନ ମାଧ୍ୟମରେ କ୍ଳାସ ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ହୋଇଛନ୍ତି । ଗଲା ଦେଢବର୍ଷ ହେବ ସବୁ ପିଲା ଅନ୍‌ଲାଇନ୍ ମାଧ୍ୟମରେ କ୍ଳାସ କରୁଥିଲେ ମଧ୍ୟ ତାହା ବୁଝିବା ଏତେ ସହଜ ହେଉନଥିଲା । ଏବେ କଲେଜ ଖୋଲିଥିବାରୁ ଭଲ ପାଠ ପଢିବା ସହ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ବୋଲି ଛାତ୍ରୀମାନେ କହିଛନ୍ତି । ସେପଟେ ଉଚ୍ଚଶିକ୍ଷା ପକ୍ଷରୁ ଆସିଥିବା ଗାଇଡଲାଇନ୍ ପାଳନ ପୂର୍ବକ ପାଠ ପଢାଇବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି । ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରୁ ପିଜି ପ୍ରଥମ ବର୍ଷ ପିଲାଙ୍କ କ୍ଳାସ୍ ମଧ୍ୟ ଆରମ୍ଭ ହେବେ । ସେମାନେ ମଧ୍ୟ ସିଧା ସଳଖ କଲେଜ କ୍ଳାସ୍ ରୁମରେ ବସି ପାଠ ପଢ଼ିବେ ।

Leave a Reply