ଅସହାୟକୁ ସାହାଯ୍ୟ କରିବ ‘ଉଡ୍ର ଓଡ଼ିଶା’ର ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଉ ଶୀତ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି, ଗରିବ ଓ ରାସ୍ତା କଡ଼ ବସବାସ କରୁଥିବା ଶ୍ରମିକ ଓ ମଜୁରିଆ ଲୋକ । ଆଉ ଏମାନଙ୍କ ପାଖରେ ପୋଷାକ ଓ ଶୀତ ବସ୍ତ୍ର ଯୋଗାଇ ଦେବା ଲାଗି ପ୍ରୟାସ ଆରମ୍ଭ କରିଛି ସାମାଜିକ ଅନୁଷ୍ଠାନ ଉଡ୍ର ଓଡ଼ିଶା। ‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ ଜରିଆରେ ଦେଶର ୧୨ ଟି ସହରରେ ସଂଗ୍ରହ ହେବ ପୋଷାକ ଓ ଶୀତ ବସ୍ତ୍ର । ଏଥିପାଇଁ ସମସ୍ତ ପ୍ୟାରିସ ବେକେରୀ ଆଉଲେଟ ଆଗରେ ଦାନ ବକ୍ସ ସ୍ଥାପନ କରାଯାଇଛି ବୋଲି କହିଛନ୍ତି ଉଡ୍ର ଓଡ଼ିଶାର ସମ୍ପାଦକ ଶୁଭ୍ରାଜ୍ୟୋତି ଦାସନାୟକ ।

ଗରିବ ଲୋକଙ୍କୁ ଶୀତ ବସ୍ତ୍ର ଯୋଗାଇ ଦେବା ଲାଗି ବିଶିଷ୍ଠ ସମାଜସେବୀ ତଥା ଶ୍ରମିକ ନେତା ମାୟାଧର ନାୟକଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ଅଭିଯାନ, ‘ଥିଲେ ଦିଅ, ନଥିଲେ ନିଅ’ । ଚଳିତବର୍ଷ ଦେଶର ୧୨ ଟି ସହରରେ ପୋଷାକ ଓ ଶୀତ ବସ୍ତ୍ର ସଂଗ୍ରହ କରିବାକୁ ଯୋଜନା କରିଛି ଓଡ୍ର ଓଡ଼ିଶା ।

ଭୁବନେଶ୍ୱର, ପାରାଦ୍ୱୀପ, କଟକ, ବ୍ରହ୍ମପୁର, ବାଲେଶ୍ଵର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକାତା, ପୁଣେ ଓ ହାଇଦ୍ରାବାଦ ପ୍ୟାରିସ ବେକେରୀ ଆଉଟଲେଟ ଆଗରେ ଦାନବାକ୍ସ ରଖି ସଂଗ୍ରହ କରାଯିବ ପୋଷାକ ଓ ଶୀତ ବସ୍ତ୍ର ।

ତେବେ ପ୍ରାୟ ୪ ମାସ ଧରି ଚାଲିବ ଏହି ପୋଷାକ ଓ ଶୀତ ବସ୍ତ୍ର ସଂଗ୍ରହ କାର୍ଯ୍ୟ । ସଂଗୃହିତ ପୋଷାକକୁ ୱାଶେକ୍ସ ହସ୍ପିଟାଲ ସଲ୍ୟୁସନ ଦ୍ୱାରା ଡ଼୍ରାଏ କ୍ଲିନ କରାଯାଇ ଆବଶ୍ୟକ ଥିବା ଲୋକଙ୍କୁ ବଣ୍ଟା ଯିବ । ଗତ ୪ ବର୍ଷ ହେଲା ଜାରି ରହିଥିବା ଅଭିଯାନକୁ ମିଳିଛି ବେଶ ସଫଳତା । ଗତବର୍ଷ ୧୫ ହଜାରରୁ ଅଧିକ ପୋଷାକ ଓ ଶୀତ ବସ୍ତ୍ର ବିତରଣ କରାଯାଇଛି ।

ଶୀତ ଦାଉରୁ ଗରିବ ଲୋକଙ୍କୁ ବଞ୍ଚାଇବା ଲାଗି ଉଡ୍ର ଓଡିଶାର ପ୍ରୟାସକୁ ସମସ୍ତେ ସ୍ୱାଗତ କରିଛନ୍ତି । ଅଭିଯାନରେ ସାମିଲ ହୋଇ ବସ୍ତ୍ର ଦାନ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ଅନେକ ଓଲିଉଡ ସେଲିବ୍ରେଟି ।

Leave a Reply